ଘର ଭିତରେ ପଶିଗଲା ହାତୀ, ଦେଢ଼ ଘଣ୍ଟା ଧରି ଫସି ରହିଲା ପରିବାର

ଢେଙ୍କାନାଳ ଅଫିସ, ୨୨।୬-ଗୋଟିଏ କୋଠରିରେ ହାତୀ, ଅନ୍ୟ କୋଠରିରେ ପରିବାରର ୭ ପ୍ରାଣୀ। ମୃତ୍ୟୁ ସହ ମୁହାଁମୁହିଁ। ଜୀବନ ବଞ୍ଚାଇବାକୁ ଦେଢ଼ଘଣ୍ଟାର ସଂଘର୍ଷ। ଶେଷରେ ବନ ବିଭାଗ ସହାୟତାରେ ଝରକା ତାଡ଼ି ଉଦ୍ଧାର ହେଲେ ପରିବାର ଲୋକେ। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତିଯାଇଛନ୍ତି କାର୍ତ୍ତିକ ସାମଲଙ୍କ ପରିବାର ସଦସ୍ୟ।
ଘର ଭିତରେ ଥିବା ଆମ୍ବ, ପଣସ ବାସ୍ନାରେ ଆକୃଷ୍ଟ ହୋଇ ଶନିବାର ରାତି ପ୍ରାୟ ସାଢେ ୧ଟା ବେଳେ କାର୍ତ୍ତିକଙ୍କ କୋଠାଘର ଭିତରକୁ ଏକ ମାଈ ହାତୀ ପଶିଯାଇଥିଲା। ହାତୀକୁ ଦେଖି ପରିବାର ଲୋକେ ପ୍ରାଣବିକଳରେ ଏକ କୋଠରିରେ ପଶି ଭିତରପଟୁ କବାଟ ଦେଇ ଦେଇଥିଲେ। ପାଖାପାଖି ଦେଢ଼ଘଣ୍ଟା ଧରି ହାତୀଟି ଘର ଭିତରେ ଆତଙ୍କ ସୃଷ୍ଟି କରିଥିଲା। କାର୍ତ୍ତିକଙ୍କଠାରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରି ନାକେଦମ ହୋଇଥିଲେ। ତେବେ ହାତୀଟି ଘରୁ ବାହାରି ନ ଥିଲା। ଏହାପରେ ଝରକା ତାଡ଼ି ବହୁ କଷ୍ଟରେ ପରିବାର ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ବାଣ ଫୁଟାଇବା ପରେ ହାତୀଟି ଭୟଭୀତ ହୋଇ ଘରୁ ବାହାରି ଜଙ୍ଗଲକୁ ପଳାଇ ଯାଇଥିଲା। ଯିବା ବାଟରେ ହାତୀଟି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଦେଇଛି। ସେହିପରି କାର୍ତ୍ତିକଙ୍କ ଘରେ ଥିବା ପାଚିଲା ଫଳ ସମେତ ଅନ୍ୟ ଜରୁରୀ ଖାଦ୍ୟ ସାମଗ୍ରୀ ଖାଇଯାଇଥିଲା।
ଏ ନେଇ ଫରେଷ୍ଟର ପ୍ରଶାନ୍ତ ପାଣିଗ୍ରାହୀ କୁହନ୍ତି, ଘରେ ଥିବା ପାଚିଲା ଫଳ ବାସ୍ନା ବାରି ହାତୀଟି ଘରେ ପଶିଯାଇଥିଲା। ସୂଚନା ପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝରକା ତାଡ଼ି ତାଙ୍କୁ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି।