ଘରୋଇ ହାତକୁ ଯିବ ଅଣ ଷ୍ଟ୍ରାଟେଜିକ୍‌ ପିଏସ୍‌ୟୁ

ନୂଆଦିଲ୍ଲୀ,୧୮।୫:ସରକାର ବିଭିନ୍ନ କ୍ଷେତ୍ରରେ ଘରୋଇକରଣକୁ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକର ସଂଜ୍ଞା ନିରୂପଣ କରିବା ଲାଗି ନୂଆ ପବ୍ଲିକ ଏଣ୍ଟରପ୍ରାଇଜ ନୀତି ଆଣିବେ। ନୂଆ ନୀତି କାର୍ଯ୍ୟକ୍ଷମ ହେଲେ ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକରେ ୪ରୁ ଅଧିକ ରାଷ୍ଟ୍ରାୟତ୍ତ କମ୍ପାନୀ କାମ କରିପାରିବେ ନାହିଁ। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡିକରେ କେଉଁ କେଉଁ କମ୍ପାନୀ କାମ କରିବେ ସେ ନେଇ ସରକାର ଶୀଘ୍ର ବିଜ୍ଞପ୍ତି ଜାରି କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକରେ ଅନ୍ତତଃ ପକ୍ଷେ ଗୋଟିଏ ରାଷ୍ଟ୍ରାୟତ୍ତ କମ୍ପାନୀ କାର୍ଯ୍ୟ କରିବ। ଏହି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯିବ। ଅନ୍ୟ କ୍ଷେତ୍ରରେ ଥିବା ପିଏସ୍‌ୟୁଗୁଡ଼ିକୁ ସରକାର ଘରୋଇକରଣ କରିବେ ବୋଲି ଜଣାପଡ଼ିଛି।
ଷ୍ଟ୍ରାଟେଜିକ କ୍ଷେତ୍ରରେ ବିଶେଷକରି ଗୋଟିଏରୁ ୪କମ୍ପାନୀ ରଖିବାକୁ ଯୋଜନା କରାଯାଇଛି। ଘରୋଇକରଣ, ମିଶ୍ରଣ ଏବଂ ଅଣ୍ଡର ହୋଲ୍ଡିଂ କମ୍ପାନୀ ଭାବେ ରୂପାନ୍ତରିିତ କରିବାକୁ ଯୋଜନା ରଖାଯାଇଛି। ଘରୋଇକରଣ କରାଯିବା ଆଗରୁ ସରକାର କମ୍ପାନୀଗୁଡ଼ିକର ସ୍ଥିତିକୁ ବିଚାର କରିବେ। ସରକାର ଶୀଘ୍ର ନୂଆ ନୀତି ଘୋଷଣା କରିବେ। ଭାରତକୁ ଆତ୍ମନିର୍ଭରଶୀଳ କରାଇବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ସବୁ କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରାଯିବ। ନିର୍ଦ୍ଧାରିତ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅତି ଜରୁରୀ କ୍ଷେତ୍ରକୁ ବିଚାରକରି ସରକାର ପଦକ୍ଷେପ ନେବେ ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଆଗାମୀ ଦିନରେ ଆଣିବାକୁ ଥିବା ନୀତିରେ ଷ୍ଟ୍ରାଟେଜିକ ଏବଂ ଅନ୍ୟ କ୍ଷେତ୍ର ସମ୍ପର୍କରେ ବିସ୍ତୃତ ଭାବେ ବର୍ଗୀକରଣ କରିବେ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଘରୋଇକରଣ ନୀତି ଆସିବା ଦ୍ୱାରା ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ ଏହା ତ୍ୱରାନ୍ବିତ କରିବ। ସରକାର ବଜେଟରେ ୨.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ କେବଳ ୧.୨୦ ଲକ୍ଷ ରାଷ୍ଟ୍ରାୟତ୍ତ କମ୍ପାନୀ ପୁଞ୍ଜି ପ୍ରତ୍ୟାହାରରୁ ଆସିବ ବୋଲି ଜଣାପଡିଛି।

Share