Categories: ମେଟ୍ରୋ

ଘରୋଇ ହସ୍ପିଟାଲରେ ଦଳିତ କର୍ମଚାରୀଙ୍କୁ ନିର୍ଯାତନା : କମିଶନଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରୁନି ପୋଲିସ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅନେକ ଦିନ ଧରି ଉପରିସ୍ଥ କର୍ମଚାରୀ ଦ୍ୱାରା ନିର୍ଯାତିତ ହେଉଥିଲେ। ଏ ନେଇ ପ୍ରତିବାଦ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ମଧ୍ୟ ମାମଲା ରୁଜୁ କରାଯାଉନାହିଁ। ନ୍ୟାୟ ପାଇବା ନେଇ ନିର୍ଯାତିତ ଯୁବକ ମାନବାଧିକାର କମିଶନଙ୍କଠାରୁ ଆରମ୍ଭ କରି ଡିସିପି ଏବଂ ସିପିଙ୍କ ନିକଟରେ ଅଭିଯୋଗ କଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଥାନା ଅଧିକାରୀ ମାମଲା ରୁଜୁ କରୁ ନ ଥିବା ନେଇ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ଏମଆଇଜି-୨, ବ୍ଲକ-୪, ଘର ନଂ. ଇ-୧୨ରେ ମାନସ ରଞ୍ଜନ ସେଠୀ ରୁହନ୍ତି। ମାନସଙ୍କ ଅଭିଯୋଗ ମୁତାବକ, ସେ ୫ ବର୍ଷ ଧରି ଏକ ଘରୋଇ ହସ୍ପିଟାଲରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଲ୍ୟାବରେ କାର୍ଯ୍ୟରତ ଜଣେ ଉଚ୍ଚ ଜାତିର ମହିଳା କର୍ମଚାରୀ ଓ ଅନ୍ୟ କିଛି କର୍ମଚାରୀ କିଛି ଦିନ ହେବ ନାନାଦି ନିର୍ଯାତନା ଦେଉଛନ୍ତି। ହସ୍ପିଟାଲ ବାହାରୁ ଆସୁଥିବା ରକ୍ତ ନମୁନାକୁ ବେଆଇନ ଭାବେ ପରୀକ୍ଷା କରିବାକୁ ମାନସଙ୍କୁ ବାଧ୍ୟ କରୁଛନ୍ତି। ଏଥିରେ ସହଯୋଗ ନ କରିବାରୁ ତାଙ୍କୁ ଚାକିରି ଛାଡି ଚାଲିଯିବାକୁ ବାଟ କରାଯାଉଛି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଉଛି। ଏଥିସହ ଲ୍ୟାବରୁ ତାଙ୍କୁ ପାଣି ପିଇବାକୁ ମନା କରାଯିବା ସହ ଜାତିଆଣ ନେଇ ଟାହିଟାପରା କରାଯାଉଛି। ଏ ନେଇ ଡିସିପି ଏବଂ ସିପିଙ୍କୁ ଜଣାଇବା ସହ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ଥାନା ଅଭିଯୋଗ କରିବା ନେଇ କମିଶନ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଗତ ୧୪ ତାରିଖରୁ ଥାନାରୁ ଅଭିଯୋଗ କରାଗଲେ ମଧ୍ୟ ତଦନ୍ତକାରୀ ଅଧିକାରୀ ମାମଲା ରୁଜୁ କରୁନାହାନ୍ତି । ବାରମ୍ବାର ଥାନାକୁ ଦଉଡିବା ପରେ ସେ ନିରାଶ ହୋଇ ଫେରୁଛନ୍ତି ବୋଲି ଗଣମାଧ୍ୟମରେ ନ୍ୟାୟ ପାଇବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମାନସ ଜଣେ ମହିଳା କର୍ମଚାରୀ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ ଆଣିଥିଲେ। ଏତଲା କପିରେ କିଛି ଭୁଲକୁ ସଂଶୋଧନ କରାଯିବା ସହ ରବିବାର ରାତି ସୁଦ୍ଧା ମାମଲା ରୁଜୁ ହେବ। ଏ ନେଇ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।