ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏକାଧିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଏଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି। କାହିଁକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏତେ ପରିମାଣର ଟଙ୍କା ରଖା ନ ଯାଇ ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି। ଶନିବାର ଏହି ପ୍ରସଙ୍ଗରେ ଭିଜିଲାନ୍ସ ହସ୍ତକ୍ଷେପ ଲୋଡ଼ିିଛି ଶ୍ରୀଜଗନ୍ନାଥ ସେନା। ସେହିପରି ପୁରୀ ଜିଲା ଭାଜପା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦିଆଯାଇଛି।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟମାନେ ସ୍ଥାନୀୟ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ପ୍ରଥମେ ଧାରଣା ଦେଇଥିଲେ। ପରେ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କେଉଁ ପ୍ରଶାସନିକ ଅଧିକାରୀମାନେ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି। କେଉଁ କେଉଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ମହାପ୍ରଭୁଙ୍କର କେତେ ଟଙ୍କା ୟେସ୍‌ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି ବୋଲି ସେନା ପ୍ରଶ୍ନ କରିଛି। ପୂର୍ବରୁ ଏ ନେଇ ବିକ୍ଷୋଭ ଏବଂ ଥାନାରେ ଏତଲା ଦିଆଯାଇଥିବା ସତ୍ତ୍ବେ କାହିଁକି ପଦକ୍ଷେପ ନିଆଗଲା ନାହିଁ। ଏହା ପଛର ରହସ୍ୟ କ’ଣ ତାହାର ତଦନ୍ତ ହେବା ଦରକାର ବୋଲି ସେନା ଦାବି ରଖିଛି। ଏ କ୍ଷେତ୍ରରେ ଯଦି ଭିଜିଲାନ୍ସ ଟାଳଟୁଳ ନୀତି ଅମଲମ୍ବନ କରେ ତେବେ ଆଗକୁ ସିବିଆଇରେ ଅଭିଯୋଗ କରିବେ ବୋଲି ପ୍ରିୟଦର୍ଶନ କରିଛନ୍ତି। ସେହିପରି ଏହି ପ୍ରସଙ୍ଗକୁ ନେଇ ପୁରୀ ଜିଲା ଭାଜପା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ କିପରି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଫେରସ୍ତ ଅଣାଯାଇପାରିବ ସେ ନେଇ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଭଞ୍ଜନ ମହାପାତ୍ର, ସଞ୍ଜୀବ କୁମାର ମୁଖାର୍ଜୀ, ଜୟନ୍ତ କୁମାର ଦାଶ, ରାଜକିଶୋର ରାଉତ, ମନୋରଞ୍ଜନ ପ୍ରଧାନ, ଭବାନୀ ଦାସମହାପାତ୍ର, ଉମାକାନ୍ତ ନାୟକ, ଅଜିତ ମିଶ୍ର, ଦେବପ୍ରସାଦ ସ୍ବାଇଁ, ସଞ୍ଜୟ କୁମାର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।