ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ହେବାକୁ ଥିବା ପ୍ରସ୍ତାବିତ ବସ୍‌ ଧର୍ମଘଟକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସ୍ଥଗିତ ରଖିବାକୁ ଘୋଷଣା କରିଛି। ବସ୍‌ ଚଳାଚଳ ପୂର୍ବଭଳି ସ୍ବାଭାବିକ ରହିବ। ଦାବି ପୂରଣ ନେଇ ସରକାରଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରାଥମିକ ପର୍ଯ୍ୟାୟରେ ୩ଟି ଦାବି ପୂରଣ ହୋଇଛି। ସ୍କ୍ରାପିଂ ପଲିସିକୁ ୧୫ରୁ ୨୦ ବର୍ଷକୁ ବଢ଼ାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ୍‌ ଚଳାଇବା ଏବଂ ଟ୍ରାନ୍ସଫର ଅଫ୍‌ ପର୍‌ମିଟ ଭଳି ଦାବି ପୂରଣ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।
ଅନ୍ୟ ଦାବିଗୁଡ଼ିକ ପାଇଁ ସରକାର ସମୟ ନେଇଛନ୍ତି। ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜାନୁୟାରୀ ୧୭ରେ ଧର୍ମଘଟର ଡାକରା ଦିଆଯାଇଥିଲା। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।