ଘରୋଇ ବସ୍‌ରେ ବାର୍ଷିକ ଯାଉଛନ୍ତି ୨୦.୪୪ କୋଟି ଯାତ୍ରୀ

ପୁରୀ ଅଫିସ, ୧୨।୨:ଯାତ୍ରୀ ପରିବହନ ଏକ ସେବା। ବସ୍‌ ମାଲିକମାନେ ଏହିଭଳି ଏକ ସେବା ଯୋଗାଇ ଆସୁଛନ୍ତି। ଓଡ଼ିଶାର ଘରୋଇ ବସ୍‌ଗୁଡ଼ିକ ବର୍ଷକ ମଧ୍ୟରେ ୨୩୩ କୋଟି ୬୦ ଲକ୍ଷ କିଲୋମିଟର ଯାତ୍ରା କରି ୨୦.୪୪ କୋଟି ଯାତ୍ରୀ ପରିବହନ କରିଥାନ୍ତି। ୨ଲକ୍ଷ ୫୬ ହଜାର ବ୍ୟକ୍ତିଙ୍କ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭରଣ ପୋଷଣା ବ୍ୟବସ୍ଥା କରିଥାନ୍ତି, ଯାହାକି ଏକ ବୃହତ୍ତର ସେବା। ପୁରୀ ମୋଚିସାହି ଛକସ୍ଥିତ ପୌରସଂସ୍ଥା କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବସ୍‌ ମାଲିକ ସଂଘର ଦୁଇଦିନିଆ ସମ୍ମିଳନୀରେ ଏହି ମତପ୍ରକାଶ ପାଇଛି। ରାଜ୍ୟ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନମୋହନ ସାମଲ, ସଞ୍ଜୟ ଦାସବର୍ମା ଏବଂ ବିଧାୟକ ପ୍ରଦୀପ କୁମାର ମହାରଥୀ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ବକ୍ତବ୍ୟ ରଖି କହିଥିଲେ, ବର୍ତ୍ତମାନ ବସ୍‌ମାଲିକମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ମୋଟର ଭେଇକ୍ଲି ଆକ୍ଟରେ ସଂଶୋଧନ ଆଣିବା ଫଳରେ ଏହାର ପ୍ରଭାବ ବି ପଡ଼ିିଛି। ସେହିପରି ଜିଏସ୍‌ଟି ଏବଂ ବୀମା ଆଦିର ବୋଝ ମାଲିକମାନଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ଜିଏସ୍‌ଟି ଲାଗୁ ପରେ ସିଧାସଳଖ ଅର୍ଥନୈତିକ ବୋଝ ପଡ଼ିିଛି। ଏଥିସହ ନୂଆ ନୂଆ ରେଗୁଲେଶନ ପରେ ଅନେକ ଚ୍ୟାଲେଞ୍ଜ ବି ଆସିଛି। ଏ ସବୁକୁ ମୁକାବିଲା କରିବା କଷ୍ଟକର ହେଉଛି। ତଥାପି ବସ୍‌ ମାଲିକମାନେ ଯାତ୍ରୀ ପରିବହନକୁ ସେବା ଭାବି ଏହାକୁ ଆଗେଇ ନେଉଛନ୍ତି। ଅପରପକ୍ଷେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯିବ। ଏଥିପାଇଁ ନିରନ୍ତର ସଂଗ୍ରାମ ଦରକାର। ବ୍ୟକ୍ତିଗତ ସ୍ବାର୍ଥକୁ ଭୁଲି ସମସ୍ତେ ସାମୂହିକ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ଅତିଥିମାନେ କହିଥିଲେ। ସମ୍ମିଳନୀ ଉଦ୍‌ଘାଟନ ପରେ ସ୍ମରଣିକା ଉନ୍ମୋଚନ ଏବଂ ଦିବଂଗତ ବସ୍‌ ମାଲିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସଂଘ କର୍ମକର୍ତ୍ତାମାନେ ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉପସ୍ଥାପନ କରିଥିଲେ। ପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀ ବୁଧବାର ଉଦ୍‌ଯାପନ ହେବ।