ଘରେ ପଶି ସଶସ୍ତ୍ର ଡକାୟତି: ୭ ଲକ୍ଷର ସମ୍ପତ୍ତି, ନଗଦ ୨.୮୫ ଲକ୍ଷ ଲୁଟ୍‌

ରଣପୁର,୩୦ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାର ପାଇକସାହି ମଣିନାଗ ବାଇପାସ୍‌ ରାସ୍ତାରେ ଥିବା ସତ୍ୟନାରାୟଣ ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୧୨୦ଗ୍ରାମ ସୁନା ଓ ୭୦୦ଗ୍ରାମ ରୁପା ଅଳଙ୍କାର ସହିତ ନଗଦ ୨ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଛନ୍ତି। ଲୁଟ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ସତ୍ୟନାରାୟଣ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ସନ୍ଦେହରେ ସେହି ସାହିର ଜଣେ କାଠ ମିସ୍ତ୍ରିଙ୍କୁ ଥାନାରେ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ୭ରୁ ୮ଜଣ ସଶସ୍ତ୍ର ଡକାୟତ ସତ୍ୟ ନାରାୟଣଙ୍କ ବାରିପଟ ପାଚେରି ଡେଇଁ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ। ତାଙ୍କ ପରିବାର ଲୋକେ ନିଦ୍ରାରେ ଥିବାବେଳେ ସେହି ଘରେ ଥିବା ଗଡ୍‌ରେଜ ଆଲମିରା ଭାଙ୍ଗି ସେମାନେ ନଗଦ ୨ ଲକ୍ଷ ୮୫ ହଜାର ଟଙ୍କା, ସୁନା ଓ ରୁପା ଅଳଙ୍କାର ସହିତ ଘରକରଣା ଜିନିଷ ଲୁଟିନେଇଥିଲେ। ଶୋଇଥିବା ଘର ବାହାରପଟୁ ଶିକୁଳି ଦେଇଦେଇଥିଲେ। ପରେ ସେମାନେ ତାଙ୍କ ମା’ଙ୍କ ଘରେ ପଶି ଆଟାଚ୍‌ ଓ ଟ୍ରଙ୍କରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟିନେଇ ଫେରାର ହୋଇଯାଇଥିଲେ। ଏ ନେଇ ସତ୍ୟନାରାୟଣ ଥାନାରେ ଅଭିଯୋଗ କରିବା ପରେ ସକାଳୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚତ୍ଥିଲେ। ହେଲେ ଡକାୟତି ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଅଭିଯୋଗ କ୍ରମେ ଥାନାରେ ୩୧/୨୦ରେ ମାମଲା ରୁଜୁ କରାଯାଇଛି।
ରଣପୁର ଥାନା ଅଞ୍ଚଳରେ ଚୋରି ଘଟଣା ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ ତା୩୧ା୧୦ା୧୯ରିଖରେ ବ୍ଲକ କାର୍ଯ୍ୟାଳୟ ରାସ୍ତାରେ ଥିବା ରାଜକିଶୋର ଦାଶଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଲୁଟେରାମାନେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଫଳ ଶୂନ। ସେହିପରି ଆରଡା ଗ୍ରାମର ମଦନ ମୋହନ ମହାପାତ୍ର, ନରସିଂହପୁରର ସନାତନ ନାୟକ, ରଘୁନାଥପୁର (ନୂଆଗଁା) ଗ୍ରାମର ବିନ ବିଶ୍ୱାଳଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଲୁଟ୍‌ ହୋଇଥିବାବେଳେ ପୋଲିସ ଏ ଯାଏ ଲୁଟେରାଙ୍କ ଟେର୍‌ ପାଇନାହିଁ। ପୋଲିସ ଦ୍ୱାରା ରାତ୍ର ପାଟ୍ରୋଲିଂ କରାଯାଉ ନ ଥିବାରୁ ଦିନକୁ ଦିନ ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା କୁହାଯାଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।