ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଅ ମୁଖାଗ୍ନି ଦେଇଛନ୍ତି। ରୋହିଣୀଙ୍କ ୨ ପୁଅ ବାହାରେ ରୁହନ୍ତି। ସୁରଟରେ ଥିବା ପୁଅ ରାମହରି ୮ ତାରିଖରେ ଘରକୁ ଫେରି ଗାଙ୍ଗଦହଲି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ଘରେ ଏକାକୀ ଥିବା ରୋହିଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ଲୋକେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରି ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ। ବ୍ଲକ ପ୍ରଶାସନ କ୍ୱାରାଣ୍ଟାଇନ୍‌ରେ ଥିବା ତାଙ୍କୁ ପୁଅଙ୍କୁ ଆଣି ମା’ଙ୍କୁ ମୁଖାଗ୍ନି ଦେବାପରେ ଫେରାଇନେଇଛନ୍ତି।