ଘରର ମାଟି କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ହର୍ଷପୁର ଗଁ। ରେ ବୁଧବାର ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ମାଟି ଘର ସବୁ ସନ୍ତସନ୍ତିଆ ହୋଇଯାଇଛି। ଫଳରେ ମାଟିର କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ପତୁ ନାୟକ(୩୦)। ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ମହିଳା ଜଣଙ୍କ ପାଣି ଧରି ଆସୁଥିବା ବେଳେ ହଠାତ୍‌ ଘର ବାରଣ୍ଡାରେ ଥିବା ଏକ ମାଟି କାନ୍ଥ ଭୁଷୁଡ଼ିପଡ଼ିଥିଲା। ମହିଳାଜଣଙ୍କ ସେଥିରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସାମାଜିକ କର୍ମୀ ଓ ଗ୍ରାମବାସୀ ଦାବି କରିଛନ୍ତି।