Categories: ଜାତୀୟ

ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ିଗଲା ମାଲ୍‌ଗାଡ଼ି: ଦୁର୍ଘଟଣାରେ ୧୬ ମୃତ

ଔରଙ୍ଗାବାଦ,୮।୫: ମହାରାଷ୍ଟ୍ର ଔରଙ୍ଗାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍‌ଗାଡ଼ି ଚଢ଼ିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ସକାଳ ସାଢ଼େ ୬ଟାରେ ଔରଙ୍ଗାବାଦ-ଜାଲନା ରେଲଓ୍ବେ ଲାଇନ୍‌ ଉପରେ ଘଟିଥିବା ସୂଚନା ରହିିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ୧୮ଜଣ ଶ୍ରମିକ ମଧ୍ୟପ୍ରଦେଶରେ ହୋଇଥିବା ବେଳେ ମହାରାଷ୍ଟ୍ରର ଏକ ଷ୍ଟିଲ ଫ୍ୟାକ୍ଟ୍ରିରେ ସେମାନେ କାମ କରୁଥିଲେ। କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ଫ୍ୟାକ୍ଟ୍ରିରେ କାମଧନ୍ଦା ବନ୍ଦ ହୋଇଯାଇଛି। ଫଳରେ ଶ୍ରମିକଙ୍କ ପାଖରେ ଟଙ୍କା ନ ଥିବା ସହ ଅନ୍ୟାନ୍ୟ ଅସୁବିଧା ଯୋଗୁ ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଲକ୍‌ଡାଉନ ଯୋଗୁ ଯାତାୟାତର ସମସ୍ତ ସାଧନ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଔରଙ୍ଗାବାଦ ଷ୍ଟେସନକୁ ଯାଉଥିଲେ। କାରଣ ମଧ୍ୟପ୍ରଦେଶ ପାଇଁ ଔରଙ୍ଗାବାଦରୁ ଟ୍ରେନ୍‌ ଚଳାଚଳ କରୁଥିଲା। ଏଥିପାଇଁ ଉକ୍ତ ଶ୍ରମିକମାନେ ଜାଲନାରୁ ଟ୍ରେନ୍‌ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ। ତେବେ ବିଶ୍ରାମ ନେବା ପାଇଁ ରାତିରେ ଟ୍ରାକ୍‌ ଉପରେ ଶୋଇଥିବା ଶ୍ରମିକଙ୍କ ଉପରକୁ ସକାଳେ ଏକ ମାଲ୍‌ଗାଡ଼ି ଚଢ଼ିଯାଇଥିଲା। ଫଳରେ ଶ୍ରମିକଙ୍କ ନିଦ୍ରା ଶେଷନିଦ୍ରା ପାଲିଟିଯାଇଥିଲା। ଘଟଣାସ୍ଥଳରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ରେଲଓ୍ବେ ଅଧିକାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ପଠାଇଥିଲେ। ଏଥିସହ ଟ୍ରାକ୍‌ ଉପରେ ମୃତଦେହକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

Share