ଘରକୁ ଫେରିଲେ ରାଜସ୍ଥାନରେ ଫସି ରହିଥିବା ୧୦ ବର୍ଷର ଛାତ୍ର

ଡେରାବିଶ, ୨୨।୫(ସ୍ବ.ପ୍ର.): ଲକ୍‌ଡାଉନ୍‌ ଯୋଗୁ ରାଜସ୍ଥାନର ଝୁନ୍‌ଝୁନ୍‌ ସ୍ଥିତ ଡିଫେନ୍ସ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଡେରାବିଶ ବ୍ଳକ ଇନ୍ଦାଳୋ ପଞ୍ଚାୟତ ନାନକାର ଗ୍ରାମର ୧୦ ବର୍ଷର ଛାତ୍ର ଶୁଭଙ୍କର ବିଶ୍ୱାଳ ସେଠାରେ ଫସି ରହିଥିଲେ। ବାପା କ୍ଷିରୋଦ ବିଶ୍ୱାଳ ଜମ୍ମୁ କଶ୍ମୀର ସୀମାରେ ସୀମା ସୁରକ୍ଷା ବଳରେ ସୈନିକ ଭାବେ କାର୍ଯ୍ୟରତ ା ଏହି ସମୟରେ ଶୁଭଙ୍କରର ହଷ୍ଟେଲ ବନ୍ଦ ହୋଇଯିବା ପରେ ଶୁଭଙ୍କର ନିଜ ଘରକୁ ଫେରିବା ନେଇ ଅନିଶ୍ଚିତତା ଲାଗି ରହିଥିଲା। ଏଭଳି ସମୟରେ ଗାଁରେ ରହୁଥିବା ଶୁଭଙ୍କରଙ୍କ ପରିବାର ପାଟକୁରା ଜିଲାପାଳଙ୍କୁ ଛାତ୍ରଙ୍କୁ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଜିଲାପାଳ ସମର୍ଥ ବର୍ମା ଏଥିପାଇଁ ଏକ ପାସ୍‌ ସମ୍ପୃକ୍ତ ପରିବାରଙ୍କୁ ଦେଇଥିଲେ। ଗାଁରେ ଥିବା କ୍ଷିରୋଦଙ୍କ କାର୍‌ ନେଇ ତାଙ୍କ ପରିବାର ଲୋକ ଶୁଭଙ୍କରଙ୍କୁ ଗୁରୁବାର ନିଜ ଗ୍ରାମରେ ପହଂଚିଛନ୍ତି । ବର୍ତମାନ ଶୁଭଙ୍କର ନିଜ ଘରେ ସଙ୍ଗରୋଧରେ ରହିଛି। ଖବର ପାଇ ବିଧାୟିକାଙ୍କ ପ୍ରତିନିିଧି ସଂଜୟ ଅଗ୍ରୱାଲ୍‌ ଶୁଭଙ୍କରଙ୍କୁ ଭେଟି ତାର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏ ନେଇ ଶୁଭଙ୍କରଙ୍କ ମା’ ଭାରତୀ ବିଶ୍ୱାଳ ଓ ଇନ୍ଦାଳୋ ସରପଞ୍ଚ ରଶ୍ମିତା ଜେନା, ବିଧାୟିକା ଅଗ୍ରୱାଲ୍‌ ଓ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ା