ଘରକୁ ଫେରିବେ ଯାଜପୁରର ୬୨ ଶ୍ରମିକ

ଜଳେଶ୍ୱର, ୧ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର କ୍ୱାରାଣ୍ଟାଇନ ସେଣ୍ଟରରେ ୩୦ଦିନ ଧରି ରହିଥିବା ଯାଜପୁର ଅଞ୍ଚଳର ୬୨ଶ୍ରମିକ ଆଗାମୀ ଦୁଇ ଦିନ ମଧ୍ୟରେ ଘରକୁ ଫେରିଯିବେ। ଏ ସମ୍ପର୍କରେ ଗୁରୁବାର ବାଲେଶ୍ୱର ଜିଲା ଦାୟିତ୍ୱରେ ଥିବା ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଗୁରୁବାର ଅପରାହ୍ନରେ ସଚିବ ପାଢ଼ୀ ସେମାନଙ୍କୁ ଭେଟିଥିଲେ। ସେମାନଙ୍କୁ ସରକାରୀ ଖର୍ଚ୍ଚରେ ବସ୍‌ ଯୋଗେ ଯାଜପୁର ଅଞ୍ଚଳକୁ ପଠାଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରମୁଖ ସଚିବ ପାଢ଼ୀଙ୍କ ସହିତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଭେଟନାରୀ ଡାଇରେକ୍ଟର ରତ୍ନାକର ରାଉତ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦୀପ୍ତିରଞ୍ଜନ ସେଠୀ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୩୧ ତାରିଖ ରାତିରେ ଯାଜପୁର ଅଞ୍ଚଳର ୬୨ଜଣ ଶ୍ରମିକ ଅନ୍ୟ ରାଜ୍ୟରୁ ଫେରୁଥିବା ବେଳେ ଓଡିଶା-ପଶ୍ଚିମବଙ୍ଗ ସୀମାରୁ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରି ଜଳେଶ୍ୱର ନୂଆବଜାରରେ ଥିବା ମୂରଲୀ କଲ୍ୟାଣ ମଣ୍ଡପ ଓ ଶୋଭା କଲ୍ୟାଣ ମଣ୍ଡପରେ ରଖି ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିଥିଲା। ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ସେମାନଙ୍କୁ ପ୍ରଥମେ କେତେକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଯୋଗାଉଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ତିନି ଓଳି ଖାଦ୍ୟ ଦିଆଯାଉଛି। ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରଖିବାର ବ୍ୟବସ୍ଥା ହୋଇଛି। ଲକ୍‌ଡାଉନ ଅବଧି ବଢ଼ିଥିବାରୁ ସେମାନେ ଘରକୁ ଯାଇପାରି ନାହାନ୍ତି। ବିଭିନ୍ନ ସମୟରେ ସେମାନେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ।