Categories: ପୁରୀ

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର ଏକ ଗ୍ୟାସ ସିଲିଣ୍ଡର ଫାଟି ୧୨ବଖରା ଜଳି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଜେନା ସାହିର ଦୁଃଖୀ ଜେନାଙ୍କ ଘରେ ପୂର୍ବାହ୍ନ ୧୧ଟାରେ ରୋଷେଇ ଚାଲୁଥିବା ସମୟରେ ହଠାତ୍‌ ଗ୍ୟାସ ରେଗୁଲେଟାରରେ ନିଆଁ ଲାଗିଯାଇଥିଲା। ଭୟରେ ସମସ୍ତ ଘରୁ ବାହାରକୁ ଆସିଯାଇଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଗ୍ୟାସ ସିଲିଣ୍ଡର ଫାଟି ଘର ପୋଡିଯିବା ସହ ନଡ଼ିଆ ଗଛରେ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଜୋରରେ ଥିଲା ସଙ୍ଗେ ସଙ୍ଗେ ପଡ଼ୋଶୀ ଧଡୁ ଜେନା, ସନାତନ ଜେନା, ପବନା ଜେନା, ପ୍ରମୋଦ ଚରଣ ଜେନା, ମଞ୍ଜୁ ବେୱା, ଅଜୁ ମଲ୍ଲିକ ଓ ଆଲୋକ ଜେନାଙ୍କ ଚାଳ ଘରଗୁଡିକୁ ଲାଗିଯାଇଥିଲା। ଖବରପାଇ ପିପିଲି ଓ ସାକ୍ଷୀଗୋପାଳରୁ ଦମକଳ ପହଞ୍ଚତ୍ ନିଆଁକୁ ଆୟତ୍ତ କଲାବେଳକୁ ଘରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ, ସଉଦା ସବୁ ପୋଡିଯାଇଛି। ଘଟଣାସ୍ଥଳେ ବିଧାୟକ ପ୍ରଦୀପ ମହାରଥି ପହଞ୍ଚତ୍ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ଚାଉଳ, ବିସ୍କୁଟ ଓ ପଲିଥିନ ଯୋଗାଇଥିଲେ। ପରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆର୍‌ଆଇ ଓ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଓ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ପଞ୍ଚାୟତରୁ ରନ୍ଧା ଖାଦ୍ୟ ଦେବା ପାଇଁ କହିଛନ୍ତି। ସେହିପରି ସରପଞ୍ଚ ବାସନ୍ତୀ ବେହେରା, ସମିତିସଭ୍ୟ ସୁମିତ୍ରା ଚଉଁରି, ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ଓ ସଦାଶିବ ଦାସ ସହାୟତା କରିଛନ୍ତି।