ଗ୍ରୀନ୍‌ ଜୋନ୍‌ରେ ଦୋକାନ ଖୋଲିଲେ ବଢ଼ିବ ଚାହିଦା: ମଦ କାରଖାନା ଖୋଲିବାକୁ ଅନୁମତି ମାଗିଲେ ଅବକାରୀ କମିଶନର

କଟକ ଅଫିସ,୨।୫- ଗ୍ରୀନ ଜୋନରେ ଥିବା ଅଞ୍ଚଳ ଗୁଡିକରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ପ୍ରାୟ ଦେଢ଼ ମାସ ହେଲା ମଦ ବିକ୍ରି ବନ୍ଦ ରହିଥିବା ଯୋଗୁ ଏବେ ଦୋକାନ ଖୋଲିଲେ ଚାହିଦା ବହୁ ପରିମାଣରେ ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ରାଜ୍ୟ ଅବକାରୀ କମିଶନ। ବନ୍ଦ ପଡିଥିବା ମଦ କାରଖାନା ଗୁଡିକୁ ଖୋଲବା ପାଇଁ ଅନୁମତି ଲୋଡ଼ା ଯାଇଛି। ଏନେଇ କମିଶନର ଅଞ୍ଜନ କୁମାର ମାଣିକ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି।

ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମାର୍ଚ୍ଚ ୨୫ ତାରିଖ ଠାରୁ ରାଜ୍ୟରେ ୧୨ଟି ବଟ୍‌ଲିଂ ପ୍ଲାଣ୍ଟ, ୫ ବ୍ରିଓ୍ବରିଜ୍‌ ଏବଂ ୨ଟି ଡିସ୍‌ଟିଲେଶନ ବନ୍ଦ ରହିଛି। ଅନ୍ୟାନ୍ୟ କେତେକ କାରଖାନା ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏଣୁ ମାଦକ ଦ୍ରବ୍ୟ ପ୍ରସ୍ତୁତକାରୀ କାରଖାନାଗୁଡିକ ମଧ୍ୟ ଖୋଲିବା ପାଇଁ ବିଚାର କରାଯାଉ। ବର୍ତ୍ତମାନ ମଦ ଦୋକାନ ଏବଂ ଓଡ଼ିଶା ଷ୍ଟେଟ ବେଭରେଜ କର୍ପୋରେସନ ଲିମିଟେଡ ( ଓଏସ୍‌ବିସିଏଲ୍‌)ରେ ଯେତିକି ମଦ ମହଜୁଦ ଅଛି, ତାହା କିଛି ଦିନର ଚାହିଦାକୁ ମେଣ୍ଟେଇ ପାରିବ। ସେହିଭଳି ତୁରନ୍ତ କାରଖାନା ଗୁଡିକ ନ ଚାଲିଲେ, ଖରାପ ହୋଇଯିବ। ଏଣୁ ଯେଉଁ ମଦ କାରଖାନାଗୁଡିକ ୫୦% ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଗ୍ରହୀ, ସେମାନଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ଅବକାରୀ କମିଶନର ମାଣିକ ନିବେଦନ କରିଛନ୍ତି।