ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌: ଯାତ୍ରୀ ଦେବେ ଦୁଇଗୁଣା ଭଡ଼ା

ଭୁବନେଶ୍ୱର,୧୨ା୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶକୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଲକ୍‌ଡାଉନ୍‌ ରଖାଯାଇଛି। ଯାନବାହନ ଚଳାଚଳ ବନ୍ଦ ରହିଛି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁ ନାହାନ୍ତି। କଟକଣା କୋହଳ ହେବା ପରେ ରାଜ୍ୟ ସରକାର ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ବସ୍‌ଗୁଡ଼ିକ କିପରି ଚାଲିବ, ଭଡ଼ା କେତେ ହେବ ସେ ନେଇ ପରିବହନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗ୍ରୀନ୍‌ ଜୋନ୍‌ରେ ଚାଲିବାକୁ ଥିବା ବସ୍‌ ଭଡ଼ା ଦ୍ୱିଗୁଣିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ରେ ଅଧା ଯାତ୍ରୀ ଯାତାୟାତ କରିବେ। ଏଥିଯୋଗୁ ଘରୋଇ ବସ୍‌ ମାଲିକମାନଙ୍କର କ୍ଷତି ହେବାର ସମ୍ଭାବନା ରହିଛି। ସେମାନଙ୍କର ଯେପରି କ୍ଷତି ନ ହେବ ସେଥିପାଇଁ ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କେତେକ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସେଗୁଡ଼ିକ ରେଡ୍‌ ଜୋନ୍‌ ପରିସରଭୁକ୍ତ ହୋଇଛି। ଏପରି ସ୍ଥଳେ ବସ୍‌ ଚଳାଚଳ କରିବା ନେଇ ବାଧା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଯେଉଁ ବସ୍‌ ମାଲିକମାନେ ଏହା ସହିତ ଏକମତ ହେବେ ସେମାନେ ବସ୍‌ ଚଲାଇବେ। ବସ୍‌ରେ କମ୍‌ ଯାତ୍ରୀ ଯିବା ଆସିବା କରୁଥିବାରୁ ଭଡ଼ାକୁ ଦ୍ୱିଗୁଣିତ କରାଯାଇଛି। ଯେଉଁମାନଙ୍କର ଜରୁରୀ କାମ ଥିବ ସେମାନେ ଏହି ଭଡ଼ା ଦେଇ ଯାତାୟାତ କରିପାରିବେ। ଗ୍ରୀନ୍‌ ଜୋନ୍‌ରୁ ରେଡ୍‌ ଜୋନ୍‌କୁ ବସ୍‌ ଚାଲିବ କି ନାହିଁ ସେ ନେଇ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।