ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଆତ୍ମସାତ୍‌ ଘଟଣା:ସିଏସ୍‌ପି ମୁଖ୍ୟ ଗିରଫ

ନୂଆପଡା ଅଫିସ,୧୭ା୮
ଏସ୍‌ବିଆଇର ଗ୍ରାହକ ସେବା କେନ୍ଦ୍ରରେ ଚଞ୍ଚକତା କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ା ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୂଆପଡା ପୋଲିସ । ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଲଖନା ଗାଁର ଦାଶରଥୀ ସୁନାନୀ (୩୦) । ତାଙ୍କ ବିରୋଧରେ ଦଫା ୪୦୯, ୪୨୦, ଆଇଟି ଆକ୍ଟରେ ମାମଲା (ନଂ. ୩୭/୧୯)ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଶୁକ୍ରବାର ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ମିତ ପରମାର କହିଛନ୍ତି ।
ଏସ୍‌ପି ପରମାରଙ୍କ ସୂଚନା ଅନୁଯାୟୀ, ଗତ ମାସ ୧୫ ତାରିଖରେ କାଶିପଲା ଗାଁର ଲାଲୁ ଶବରଙ୍କ ସମେତ କୁରୁମପୁରୀ ସିଏସପି (କଷ୍ଟୋମର ସର୍ଭିସ ସେଣ୍ଟର)ରେ ଅର୍ଥଜମା କରୁଥିବା ୧୫ଜଣ ପରିଚାଳକ ଦାଶରଥୀ ସୁନାନୀଙ୍କ ବିରୋଧରେ ଲଖନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା । ସେଦିନଠାରୁ ଦାଶରଥୀ ଫେରାର ହୋଇଯାଇଥିଲେ । ପୋଲିସ ତଦନ୍ତ କରି ପୁରୀରୁ ତାଙ୍କୁ କାବୁ କରି ଆଣିଥିଲା । ଏହି ବାବଦକୁ ଦାଶରଥୀଙ୍କଠାରୁ ୧୦ ଲକ୍ଷ ୪ ହଜାର ୩୦୦ ଟଙ୍କା ଜବତ କରାଯାଇଛି । ତାଙ୍କ ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ଶତାଧିକ ହିତାଧିକାରୀ ଏତଲା ଦେବା ସହ ବ୍ୟାଙ୍କକୁ ଘେରାଉ କରିଥିଲେ । ବାକି ଟଙ୍କା କୁଆଡେ ଗଲା ବୋଲି ଗ୍ରାହକମାନେ ପ୍ରଶ୍ନ କରିଛନ୍ତି ା ଏଥିରେ ସିଏସ୍‌ପି କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ରହିଛି କି ବୋଲି ଖବରଦାତାମାନେ ପଚାରିବାରୁ ଆଗକୁ ତଦନ୍ତ ଚାଲିଛି। ଏଥିରେ ଯେଉଁମାନଙ୍କ ବି ସମ୍ପୃକ୍ତି ଆସିବ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । ପୋଲିସ ତରଫରୁ ଏକ ଟିମ ଗଠନ କରି ଜିଲାବ୍ୟାପୀ ତଦନ୍ତ କରାଯିବ ବୋଲି କହିଛନ୍ତି । ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ନୂଆପଡା ଥାନା ଅଧିକାରୀ ଆଦିତ୍ୟ କୁମାର ମହାକୁଡ, ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।