ଗ୍ରାହକଙ୍କୁ ଲୁଟୁଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): ରାଜ୍ୟରେ ପିଆଜ ଦର ବଢ଼ିଚାଲିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ଦରରେ ବିକ୍ର ହେଉଛି। ପିଆଜ ପାଇଁ ଓଡ଼ିଶାକୁ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରିବାକୁ ପଡୁଛି। ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଛି। ବାଙ୍ଗାଲୋର, ଆନ୍ଧ୍ର ଓ କର୍ନାଟକରେ ପିଆଜ ଅମଳ ହୋଇ ନ ଥିବାରୁ ଦରରେ ବୃଦ୍ଧି ହୋଇଛି। ନୂଆ ପିଆଜ ଆସିବାକୁ ଆହୁରି ଦୁଇ ସପ୍ତାହ ଲାଗିଯିବ। ତେଣୁ ତାହାର ଭରପୂର ଫାଇଦା ଉଠାଇବାରେ ଲାଗିଛନ୍ତି ଖୁଚୁରା ବ୍ୟବସାୟୀ। ଆଳୁ ଓ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ କିଣା ମୂଲ୍ୟଠାରୁ କିଲୋ ପିଛା ୨ରୁ ୩ ଟଙ୍କା ଅଧିକ ଦରରେ ଖୁବୁରା ବ୍ୟବସାୟୀମାନେ ବିକ୍ରି କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ବେଖାତିର କରି ମନଇଚ୍ଛା ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ରାଜ୍ୟକୁ ବାର୍ଷିକ ୨.୯୭ ଲକ୍ଷ ଟନ ପିଆଜ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଉଛି ୩.୯୭ ଲକ୍ଷ ଟନ। ଉତ୍ପାଦନ ସମୟରେ ପିଆଜକୁ ରଖିବା ପାଇଁ ବ୍ୟବସ୍ଥା ନ ଥିବାରୁ ଚାଷୀଙ୍କୁ ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୨୦୧୭ରେ ପିଆଜ ମିଶନ କାର୍ଯ୍ୟକାରୀ କରିଥିଲେ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୨୪୮୫ ହେକ୍ଟର ଜମିରେ ୩୮ ହଜାର ଟନ ଉତ୍ପାଦନ ପାଇଁ ଯୋଜନା କରାଯାଇଥିଲା। ସେଥିପାଇଁ ୫୦ ହେକ୍ଟର ଜମିରେ ରିହାତି ଦିଆଯାଇଥିଲା। ତେବେ ସେହି ମିଶନ ସଫଳ ହୋଇ ପାରି ନ ଥିଲା। ଫଳରେ ରାଜ୍ୟ ପୁଣି ପିଆଜ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି।
ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ପଡୋଶୀ ରାଜ୍ୟ ଉପରେ ଆଳୁ ଓ ପିଆଜ ପାଇଁ ନିର୍ଭର କରୁଛି। ସେଠାରେ କୌଣସି ସମସ୍ୟା ହେଲେ ଦର ବୃଦ୍ଧି ଘଟୁଛି। ଗୋଦାମରୁ କିଲୋ ପିଛା ୨୫ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। କିନ୍ତୁ ଖୁଚୁରା ବଜାରରେ ୧୦ରୁ ୧୫ ଟଙ୍କା ଅଧିକ ବିକ୍ରି ହେବା କଥା ନୁହେଁ। ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନ ଥିବାରୁ ଗ୍ରାହକଙ୍କୁ ଏହାର ଦୁର୍ଦ୍ଦଶା ଭୋଗିବାକୁ ପଡୁଛି।