ଗ୍ରାମ ସାନିଟାଇଜ୍‌ କଲା ଏମ୍‌ସିସି

ଢେଙ୍କାନାଳ ଅଫିସ, ୧।୫ – ଢେଙ୍କାନାଳ ପୌରାଞ୍ଚଳ ମୁକ୍ତାଦେଈପୁର ଶାସନର ଯୁବଗୋଷ୍ଠୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କୋଭିଡ୍‌-୧୯କୁ ହରାଇବାକୁ ସଂକଳ୍ପ କରିଛନ୍ତି ମୁକ୍ତାଦେଈପୁର କଲଚରାଲ କ୍ଲବ (ଏମ୍‌ସିସି)ର ସଦସ୍ୟ। ଗୁରୁବାର କ୍ଲବର ସଦସ୍ୟମାନେ ସାହିରାସ୍ତା, ଘର ସହିତ ଆଖପାଖ ପରିବେଶକୁ ସାନିଟାଇଜ୍‌ କରିଛନ୍ତି। ଏଥିଲାଗି ସେମାନେ ଦୁଇଟି ମେଶିନ ଭଡାରେ ଆଣିଥିଲେ। ଏଥିସହ ରାସ୍ତା, ନର୍ଦ୍ଦମା ଆଦି ସଫେଇ କରିଥିଲେ। ସେହିପରି ସାମାଜିକ ଦୂରତା, ସାବୁନ୍‌ରେ ହାତ ଧୋଇବା, ମାସ୍କ ବ୍ୟବହାର ଲାଗି ସେମାନେ ସଚେତନ କରାଇଥିଲେ। ଢେଙ୍କାନାଳ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ରଙ୍କ ଉପସ୍ଥିତିରେ କ୍ଲବ ସଭାପତି ତ୍ରୈଲୋକ୍ୟ ମୋହନ ମିଶ୍ର, ସମ୍ପାଦକ ବିରଞ୍ଚତ୍ ରଥ, ଉପଦେଷ୍ଟା ଶିବସାଇ ମହାପାତ୍ର, ଅଭିଜିତ୍‌ ମିଶ୍ର, ଗୌରୀଶଙ୍କର ରଥ, ମାନସ ତ୍ରିପାଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। କ୍ଲବର ଏପରି କାର୍ଯ୍ୟକୁ ବିଧାୟକ ସୁଧୀର କୁମାର ସାମଲ ପ୍ରଶଂସା କରିଛନ୍ତି।