ଗୋରୁ ବୋଝେଇ ୨ ପିକ୍‌ଅପ୍‌ ଭ୍ୟାନ ଜବତ, ୩ ଗିରଫ: ୧୬ ଗୋରଙ୍କୁ ଉଦ୍ଧାର କରାଗଲା

ବାହାନଗା,୧।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ୍‌ ଗୋପାଳପୁର ଫାଣ୍ଡି ପୋଲିସ ବୁଧବାର ୨ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ସେଥିରେ ଚୋରା ଚାଲାଣ ହେଉଥିବା ୧୬ ଗୋରୁଙ୍କୁ ଉଦ୍ଧାର କରିଛି। ଗାଡିରେ ଥିବା ୨ ଡ୍ରାଇଭର ଓ ଜଣେ ହେଲପରଙ୍କୁ ଗିରଫ କରାଯାଇଛି। ତାଳପଦା ଅଞ୍ଚଳରୁ ଏହି ଗୋରୁଙ୍କୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ଓଡି-୧୩ସି ୧୭୯୩ ନମ୍ବର ବିଶିଷ୍ଟ ଟାଟା ଏସି ପିକ୍‌ଅପ୍‌ ଭ୍ୟାନରେ ୬ ଏବଂ ଓଡି-୦୧ଏ-୭୦୮୬ ନମ୍ବର ମହିନ୍ଦ୍ରା ପିକ୍‌ଅପ୍‌୍‌ ଗାଡିରେ ୧୦ ଗୋରୁ ରହିଥିଲେ। ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ ଏଏସଆଇ ପି.ଆର. ଜେନା ସଦଳବଳ ଚଡାଉ କରି ଗାଡି ଦୁଇଟିକୁ ଅଟକାଇଥିଲେ ା ପରେ ଗାଡି ଯାଞ୍ଚ କରାଯିବାରୁ ସେଥିରେ ଗୋରୁ ବୋଝେଇ ହୋଇଥିବା ଜଣାପଡିଥିଲା। ଏଥିନେଇ ଖନ୍ତପଡା ଥାନାରେ ମାମଲା ରୁଜୁ କରାଯାଇଛି। ଗିରଫ ଗାଡି ଡ୍ରାଇଭର ସୁନହଟର ସେକ୍‌ ରାଜାକଙ୍କ ସମେତ ବାଲେଶ୍ୱର ଅଞ୍ଚଳର ଅନ୍ୟଜଣେ ଡ୍ରାଇଭର ସେକ୍‌ କନ୍‌ୱାର ମହମ୍ମଦ ଓ ହେଲପର ନୂଆପୁର ଗ୍ରାମର ଗଣପତି ମହାଳିକଙ୍କୁ ପୋଲିସ ଗିରଫ କରି ଏହି ଗୋ ଚାଲାଣ ପଛରେ ଆଉ କାହାର ହାତ ଅଛିି, ସେ ନେଇ ତନାଘନା ଆରମ୍ଭ କରିଛି ା ଉଲ୍ଲେଖନୀୟ ଯେ, ଗତ ମଙ୍ଗଳବାର ଖନ୍ତପଡା ଥାନା ଅଧୀନ ଶ୍ରୀଜଙ୍ଗ ଛକଠାରେ କେତେକ ବ୍ୟକ୍ତି ଗୋ ଚାଲାଣ ହେଉଥିବା ଦେଖି ଗାଡିକୁ ଅଟକାଇ ଡ୍ରାଇଭରଙ୍କୁ ମାଡ ମାରି ସବୁ ଗୋରୁଙ୍କୁ ଅଟାସପୁର ସମଦ୍ରଆଡିଆ ଅଞ୍ଚଳକୁ ନେଇଯାଇଥିଲେ। ଏ ବାବଦରେ ଖନ୍ତପଡା ଥାନା କିମ୍ବା ଗୋପାଳପୁର ଫାଣ୍ଡି ଅଞ୍ଚଳରେ କୌଣସି ଅଭିଯୋଗ ହୋଇ ନ ଥିଲା ା ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ସଲ୍ଟରୋଡ ରାସ୍ତା ଉପରେ କଡା ନଜର ରଖି କାର୍ଯ୍ୟ କରୁଥିବା କହିଛି।