ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର

ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭ ଗାଡିକୁ ଗ୍ରାମର ଯୁବକ ଓ ଅନନ୍ତପୁର ଫାଣ୍ଡି ପୋଲିସ୍‌ ଜବତ କରିଥିଲେ। ଗାଡିରେ ଥିବା ୫୨ ଗୋରୁଙ୍କ ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ ୨ଟି ଗୋରୁକୁ ଗୁରୁତର ଅବସ୍ଥାରେ ଲୋକମାନେ ଉଦ୍ଧାର କରିଥିଲେ। ତେବେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ବାସୁଦେବପୁର ଅଞ୍ଚଳରୁ ସଲ୍ଟ ରୋଡ ଦେଇ ରାତି ସାଢେ ଗୋଟାଏ ବେଳେ ସୋର ଆଡକୁ ଆସୁଥିବା ଏକ ୪୦୭ (ନଂ.ଓଡି-୦୧ଡବ୍ଲ୍ୟୁ୬୪୭୭)ରେ ଚୋରାରେ ଗୋରୁ ଚାଲାଣ ହେଉଥିବର ଖବରପାଇ ଅନନ୍ତପୁର ଫାଣ୍ଡି ପୋଲିସ ଧରିବା ପାଇଁ ଗୋଡାଇଥିଲେ। ଗାଡି ଡ୍ରାଇଭର ସୋର ଆଡକୁ ନ ଯାଇ ପାଖର ଛକରୁ ବାହାନଗା ବ୍ଲକ ସାଉଡୁ ପଞ୍ଚାୟତର ନଡିଆଳି ଗ୍ରାମ ରାସ୍ତା ଦେଇ କୋଚିଆକୋଇଲି ପଞ୍ଚାୟତର କରଞ୍ଜେଇ ଗ୍ରାମ ଦେଇ ପଳାଉଥିବା ବେଳେ ରାତିରେ କରଞ୍ଜେଇ ରାସ୍ତା କାମ ହେଉଥିବାରୁ ଗାଡି ଆଗକୁ ଆଉ ଯାଇ ପାରି ନ ଥିଲା ା ଫଳରେ ରାତିରେ ଗାଡି କଣ ପାଇଁ ଆସିଲା ଭାବି ଗ୍ରାମରେ ଉପସ୍ଥିତ କେତେକ ଯୁବକ ଗାଡିରେ ବିପଦସଙ୍କୁଳ ଅବସ୍ଥାରେ ଗୋରୁଗୁଡିକ ଲଦା ହୋଇଥିବା ଦେଖିଥିଲେ। ଯୁବକମାନେ ଡ୍ରାଇଭରଙ୍କୁ ମାଡ ମାରିବା ସହିତ ଗ୍ରାମବାସୀଙ୍କୁ ଡାକିଥିଲେ ା ଏହି ସମୟରେ ଗାଡି ଡ୍ରାଇଭର ଖସିପଳାଇବାକୁ ସକ୍ଷମ ହୋଇଥିଲେ। କିଛି ସମୟ ପରେ ରାତିରେ ଅନନ୍ତପୁର ଫାଣ୍ଡି ପୋଲିସ ପହଞ୍ଚି ଲୋକଙ୍କ ସହାୟତାରେ ଗାଡି ଭିତରୁ ଗୋରୁଗୁଡିକୁ ବାହାର କରିଥିଲେ। ରାତିରେ ପୋଲିସ ଗୋରୁଗୁଡିକୁ ଗ୍ରାମବାସୀଙ୍କ ଜିମାରେ ରଖିବା ସହିତ ସକାଳେ ଗୋଟିଏ ଗୋରୁର ଶବ ବ୍ୟବଚ୍ଛେଦ ପାଇଁ ବାହାନଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବବ୍ରତ ଦାସଙ୍କୁ ମଙ୍ଗଳବାର ସକାଳ ଡକାଇଥିଲେ ା ସେ ସକାଳେ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ। ଗୁରୁତର ଆହତ ଦୁଇଟି ଗୋରୁଙ୍କୁ ଚିକିତ୍ସା କରାଯାଇଛି। ମଙ୍ଗଳବାର ସକାଳେ ସୋର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ୪୯ ଗୋରୁ କୁ ବାମପଦା ଗୋଶାଳାକୁ ପଠାଇ ଦେଇଥିଲେ ା ଗୋରୁ ବୋଝେଇ ୪୦୭ ଗାଡିକୁ ପୋଲିସ୍‌ ଜବତ କରି ଥାନାକୁ ନେଇଯାଇଥିଲା ା ଏଥିନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ା