ଗୋପାଳପୁର ବନ୍ଦରରେ ଲାଗିଲା ପ୍ରଥମ ବୃହତ ଜାହାଜ

ବ୍ରହ୍ମପୁର ଅଫିସ୍‌/ଛତ୍ରପୁର ୧୫ା୧୦ (ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ବନ୍ଦରରେ ପ୍ରଥମ ଥର ଲାଗି ବୃହତ ମାଲ୍‌ବାହୀ ଜାହାଜ ଲାଗିଛି । ଏଥିରେ ୧ ଲକ୍ଷ ୫ହଜାର ଟନ୍‌ ଚୂନ ପଥର ରହିଛି । ଏତେ ଓଜନର ମାଲ୍‌ ପରିବହନ କରୁଥିବା ଜାହଜ ଲାଗିବା ବିଷୟରେ ଗୋପାଳପୁର ବନ୍ଦର ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର୍‌ ଲିମିଟେଡ୍‌(ଜେଏସ୍‌ପିଏଲ୍‌) ପକ୍ଷରୁ ଏହି ଚୂନା ପଥର ମଧ୍ୟ-ପୂର୍ବରୁ ଆମଦାନୀ କରାଯାଇଛି । ଷ୍ଟିଲ୍‌ ଉପତ୍ାଦନରେ ଏହି ଚୂନ ପଥର ବ୍ୟବହୃତ ହେବ । ଏସାର୍‌ ସିପିଙ୍ଗର ଏହି ଜାହଜ ଶନିବାର ଗୋପାଳପୁର ବନ୍ଦରରେ ପହଞ୍ଚିଥିଲା। ୧ ଲକ୍ଷ ୫ହଜାର ଟନ୍‌ ପରିବହନ କରୁଥିବା ବୃହତ ଜାହାଜ ଗୋପାଳପୁର ବନ୍ଦରରେ ଲାଗିବା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ସାପୋଜି ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଗୋପାଳପୁର ବନ୍ଦରକୁ ସାପୋଜି ପାଲୋଞ୍ଜି ଗ୍ରୁପ୍‌ ଅଧିକୃତ କରିବା ପରଠୁ ବନ୍ଦର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଡ୍ରେଜିଂ(ଖନନ) ଦ୍ୱାରା ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଫଳରେ ଏହା ଅଧିକ ଗଭୀର ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ବୃହତ ଯାହାଜ ଏହି ବନ୍ଦରରେ ସହଜରେ ଲାଗି ପାରିବ । ତେବେ ଡ୍ରେଜିଂ ଶେଷ ହେବା ପରେ ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ଏହାର କ୍ଷମତା ବଢ଼ିଛି । ବୃହତ ଯାହାଜ ବନ୍ଦରରେ ଲାଗିବା ଫଳରେ ବନ୍ଦରର ଗ୍ରାହକମାନେ ଅଧିକ ସୁବିଧା ପାଇପାରିବେ ବୋଲି ଆଶା ପ୍ରକାଶ କରାଯାଉଛି ।