ଗୋପପୁରରେ ଗୁଣି ସନ୍ଦେହ: ୬ ଜଣଙ୍କୁ ମାଡ଼ ମାରି ଅଖାଦ୍ୟ ଖୁଆଇଲେ ଗ୍ରାମବାସୀ

ଖଲ୍ଲିକୋଟ,୨ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ୬ ଜଣ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଅଖାଦ୍ୟ ଖୁଆଇ ଗାଁ କୋଠ ଘରେ ବାନ୍ଧି ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଖଲ୍ଲିକୋଟ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ, ଗଞ୍ଜାମ ଏସ୍‌ପି ବ୍ରିଜେଶ ରଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ଥାନୀୟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ଓ ସ୍ଥାନୀୟ ଥାନାଧିକାରୀମାନେ ପହଞ୍ଚତ୍ ଗାଁ କୋଠ ଘରୁ ୬ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ପୋଲିସ ଉପରକୁ ଲଙ୍କାଗୁଣ୍ଡ, ବାଲି ଆଦି ଫିଙ୍ଗା ଯାଇଥିଲା। ଏ ନେଇ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ଖଲ୍ଲିକୋଟ ପୋଲିସ ଥାନାରେ ଅଟକ ରଖିଛି। ଗୋପପୁର ଗ୍ରାମରେ କିଛିଦିନ ହେବ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୮ ସେପ୍ଟେମ୍ବରରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ଗୋଡ଼ହାତ ବିନ୍ଧା, ଜ୍ୱର ହୋଇଥିଲା। ଏହା ଗୁଣିଗାରେଡି ଦ୍ୱାରା ହେଉଥିବା ଗ୍ରାମବାସୀ ସନ୍ଦେହ କରି ଜଣେ ଗୁଣିଆଙ୍କୁ ଡାକିଥିଲେ। ଏହା ଜାଣିବା ପରେ ତହସିଲଦାର, ଆଇଆଇସି ପ୍ରମୁଖ ଗ୍ରାମରେ ପହଞ୍ଚତ୍ ଅସୁସ୍ଥଙ୍କୁ ଖଲ୍ଲିକୋଟ ଡାକ୍ତରଖାନା ନେଇଥିଲେ। ପରେ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ବ୍ରହ୍ମପୁରରୁ ଏକ ଡାକ୍ତରି ଟିମ ଗ୍ରାମରେ ପହଞ୍ଚତ୍ ଅସୁସ୍ଥଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। କିନ୍ତୁ ଏସବୁ ସତ୍ତ୍ବେ ଗ୍ରାମବାସୀ କାଠଗଣ୍ଡି ପକାଇ ଗାଁ ମଧ୍ୟକୁ କାହାରିକୁ ନ ଛାଡ଼ି ଗୁଣି ସନ୍ଦେହରେ ଉକ୍ତ ୬ ଜଣଙ୍କୁ ମାଡ଼ ମାରିଥିଲେ।