ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ମୁହଁ।ମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଖୁର୍ସେଲଗୁଡା ଗ୍ରାମର ଆଶୁତୋଷ ବେହେରା (୬୫), ପୁଅ ବିନାୟକ ଓରଫ୍‌ ବିକି (୩୨), ନାତୁଣୀ ସୋଭି (୬), ୫ ମାସର ଶିଶୁକନ୍ୟା ଓ ଆଶୁତୋଷଙ୍କ ଭାଇ ଜଗନ୍ନାଥ (୫୫) । ଗୁରୁତର ବ୍ୟକ୍ତି ହେଲେ ବିନାୟକଙ୍କ ସ୍ତ୍ରୀ ନିଭିୟା (୨୮) ଓ ଚାକରାଣୀ ଖେନଜି କଟା । ଖେନଜି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ନିଭିୟାଙ୍କ ଅବସ୍ଥା ଉଦ୍‌ବେଗ ଥିବାରୁ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଇଛି।  ପ୍ରକାଶ ଯେ, ଖର୍ସେଲଗୁଡା ଗ୍ରାମର ଆଶୁତୋଷ, ଭାଇ ଜଗନ୍ନାଥ, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଚିକିତ୍ସା ପାଇଁ ଗତ ୨ଦିନ ତଳେ ବିଶାଖପାଟଣାକୁ ଯାଇଥିଲେ। ତାଙ୍କ ସହ ଚାକରାଣୀ ଖେନଜି ମଧ୍ୟ ରହିଥିଲେ। ସେଠାରୁ ଚିକିତ୍ସା ସାରି ବୁଧବାର ଭୋର ସମୟରେ ସେମାନେ ଲିଙ୍କ ଏକ୍ସପ୍ରେସ ଯୋଗେ ଆସି କେସିଙ୍ଗା ଷ୍ଟେଶନରେ ଓହ୍ଲାଇଥିଲେ। ସେମାନେ ଆସିବା ଖବର ଶୁଣି ପୁଅ ବିକି ଘରୁ କାର ନେଇ କେସିଙ୍ଗାଙ୍କୁ ଯାଇଥିଲେ। ସେଠାରୁ କାର (ନଂ.ଓଡି୩୩ଜେ-୪୬୮୫) ଯୋଗେ ଘରକୁ ଫେରୁଥିବାବେଳେ ଭୋର ୪ଟାରେ ଜୁନାଗଡ ବ୍ଲକ ୨୬ ନଂ. ଜାତୀୟ ରାଜପଥ ଜାରିଙ୍ଗ ଛକଠାରେ ଏକ ଟ୍ରକ୍‌ (ନଂ.ଓଡି୦୮ଏ-୮୨୯୨) ସହିତ ଧକ୍କା ହୋଇଥିଲା। କାର ଚଲାଉଥିବା ଆଶୁତୋଷ ଓ ତାଙ୍କ ସହ ଆଗରେ ବସିଥିବା ଭାଇ ଜଗନ୍ନାଥଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। କାର ପଛପଟେ ବସିଥିବା ପୁଅ ବିନାୟକ ଓରଫ ବିକି, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଓ ଚାକରାଣୀ ଖେନଜିଙ୍କୁ ଗୁତୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିନାୟକ ଓ ୨ ଛୋଟ ଝିଅଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନରେ ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମୃତ ଶରୀର ଅପରାହ୍ନରେ ଗାଁରେ ପହଞ୍ଚତ୍ବା ପରେ କାନ୍ଦବୋବାଳିରେ ଖୁର୍ସେଲଗୁଡା ଗ୍ରାମ ଫାଟି ପଡିଥିଲା। ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା। ଗୋଟିଏ ସ୍ଥାନରେ ପରିବାରର ୫ଜଣଙ୍କ ଜୁଇ ଜଳିଥିଲା। ଶେଷଦର୍ଶନ ସମୟରେ ଅଞ୍ଚଳର ଶତାଧିକ ଲୋକଙ୍କ ଜନସମାଗମ ହୋଇଥିଲା। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ଖୁର୍ସେଲଗୁଡା ତଥା ଜୁନାଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ ଆଶୁତୋଷ କଳାହାଣ୍ଡି ଜିଲାର ଜଣେ ସୁପରିଚିତ ରାମାୟଣ ଗାୟକ ଥିବାବେଳେ ଜଗନ୍ନାଥ ଜଣେ ଉତ୍ତମ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ରହିଥିଲେ। ସେ ହାବସପୁର ଏନୟୁଏଚ୍‌ଏସରେ ଶିକ୍ଷକତା କରୁଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିକୁ ସ୍ଥାନୀୟ ପୋଲିସ ଜବତ କରି ତଦନ୍ତ ଚଳାଇଛି।