ଗୋଟିଏ ଦିନରେ ୪ ବଳାତ୍କାର ମାମଲା ରୁଜୁ

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଏନେଇ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି।
ଠାକୁରମୁଣ୍ଡା ଥାନା ଅଧୀନ ଏକ ଗ୍ରାମରେ ଘରେ କେହି ନ ଥିବା ସୁଯୋଗ ନେଇ ତୁରି ହୋ ନାମକ ଜଣେ ଯୁବକ ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୬୯/୧୯) ରୁଜୁ କରିଛି। ଅଭିଯୁକ୍ତଙ୍କୁ ପୋଲିସ ଗିିରଫ କରିପାରି ନାହିଁ।
କରଞ୍ଜିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୫୬/୧୯) ଅନୁୟାୟୀ କରଞ୍ଜିଆ ଏନଏସିରେ ସୁପରଭାଇଜର ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳର କୁମାରସାନୁ କରୁଆ ନାମକ ଜଣେ ଯୁବକଙ୍କ ସହ ଜନୈକା ୧୩ ବର୍ଷିୟା ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କ ଘରେ କେହି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା। ଏନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ କରୁଆଙ୍କୁ ପୋଲିସ ଅଟକ ରଖିଛି।
ଗୋରୁମହିଷାଣୀ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୪୭/୧୯) ଅନୁସାରେ ଏହି ଥାନା ଅଧୀନସ୍ଥ ଜଣେ ୧୩ ବର୍ଷିୟା ନାବାଳିକାଙ୍କ ସହିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ କରକଚିଆ ଗ୍ରାମର ପିର୍ଥି ମୁର୍ମୁଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ପିର୍ଥି ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ ତାଙ୍କର ଗୋଟିଏ ପିଲା ମଧ୍ୟ ରହିଛି। ଏନେଇ ନାବାଳିକା ଜାଣିବା ପରେ ତାଙ୍କୁ ବିରୋଧ କରି ସମ୍ପର୍କ କାଟି ଦେଇଥିଲେ। ପରେ ପିର୍ଥି ତାଙ୍କୁ ଜୋରଦବରଦସ୍ତ ବଳାତ୍କାର କରିବା ସହିତ ଏନେଇ କାହାରି ନ ଜଣାଇବାକୁ କହି ହତ୍ୟା ଧମକ ଦେଇଥିଲେ। ଏହି ମାମଲାରେ ପିର୍ଥିଙ୍କୁ ପୋଲିସ ଗିରଫ କରିଛି।
ସେହିପରି ଝାରପୋଖରିଆ ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୧୨୫/୧୯) ଅନୁଯାୟୀ ଏହି ଥାନା ଅଧୀନ ଜଣେ ଯୁବତୀ ଏକ କଲେଜରେ ଅଧ୍ୟାପିକା ଅଛନ୍ତି। ଗତ ୨୬ ତାରିଖରେ କେନ୍ଦୁଝର ସ୍ଥିତ ତାଙ୍କ ଭାଉଜଙ୍କ ଘରକୁ ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ଭାଉଜଙ୍କ ଭାଇ ଶ୍ୟାମରଞ୍ଜନ ସାହୁ ତାଙ୍କ ଶୋଇବା ଘରକୁ ଆସି ବଳାତ୍କାର କରିଥିଲେ। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।