ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍‌ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ସୂଚନା ମୁତାବକ ବୁଧବାର ସାରା ରାଜ୍ୟରେ ୧୧୯୭ଟି ନମୁନା ଯାଞ୍ଚ କରାଯାଇଥିଲା। ଆଉ ଏହି ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ନମୁନା ଯାଞ୍ଚ କରାଯାଇଥିବା ବେଳେ ଏହା ଏକ ରେକର୍ଡ ସୃଷ୍ଟି କରିଛି। ଏଥିସହ ବୁଧବାର ଗୋଟିଏ ବି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଅପରପକ୍ଷେ ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ଜଣେ ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଅନ୍ୟ ଜଣଙ୍କ ବର୍ତ୍ତମାନ ଚିକିତ୍ସିତ ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ୧୯ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି।