ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା:‘ଅପରାଧ ବୃଦ୍ଧି ପାଇଲେ ବିକାଶ ହୁଏନାହିଁ’

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ମଧ୍ୟ ଶାସକ ଦଳକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଯେଉଁଠାରେ ଅପରାଧ ବୃଦ୍ଧି ପାଏ ସେହି ରାଜ୍ୟରେ ବିକାଶ ହୋଇପାରେନି। ଓଡିଶାରେ ଅପରାଧ ଏକ ବଡ ସମସ୍ୟା ହୋଇ ସୃଷ୍ଟି ହୋଇଛି। ରାଜ୍ୟ ଯେପରି ଆଗେଇବା କଥା ସେମିତି ଆଗେଇପାରୁ ନାହିଁ। ଏଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯେପରି ଭିତ୍ତିଭୂମି ଏବଂ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ନାହିଁ। ପ୍ରତ୍ୟେକ ରାଜ୍ୟର ଥାନାରେ ୩୦ରୁ ୪୦ ଜଣ ଲେଖା ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ହେଲେ ଓଡିଶାର ବହୁ ଥାନାରେ ୫ ଜଣ ଲେଖାଏ ପୋଲିସ କର୍ମଚାରୀ ରହୁଛନ୍ତି। ଓଡିଶାରେ ଅପରାଧ ବଢିବା ସାଙ୍ଗକୁ ଧନଜୀବନ ଅସୁରକ୍ଷିତ ଅଛି। ମାଓବାଦୀ ଦମନରେ ସରକାର ଏ ପର୍ଯ୍ୟନ୍ତ ସଫଳ ହୋଇପାରିଲେ ନାହିଁ। କେନ୍ଦ୍ରୀୟ ସୁରକ୍ଷାକୁ ଯେଉଁଭଳି ସହଯୋଗ ମିଳିବା ଆବଶ୍ୟକ ରହିଛି ତାହା ମିଳୁନାହିଁ। ସ୍ଥାନୀୟ ପୋଲିସ ମଧ୍ୟ ଏନେଇ ସମର୍ଥନ ଦେଉନାହିଁ। ନାରୀ ନିର୍ଯାତନା, ଚୋରି, ଡକାୟତି, ହତ୍ୟା ଏବଂ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ବୃଦ୍ଧି ପାଇଛି। ଅପରାଧ ହ୍ରାସ କରିବା ପାଇଁ ବିଭିନ୍ନ କମିଟି ସୁପାରିସ କଲେ ମଧ୍ୟ ସରକାର ତାକୁ କାର୍ଯ୍ୟକାରୀ କରୁନାହାନ୍ତି। ବହୁ ଅପରାଧରେ ଦୋଷୀ ଧରାହୋଇପାରୁ ନାହାନ୍ତି। ୯୦ ଭାଗ ଦୋଷୀ ଖସିଯିବାରେ ସମର୍ଥ ହେଉଛନ୍ତି। କ୍ୟାଡରଭୁକ୍ତ ପବ୍ଲିକ ପ୍ରସିକ୍ୟୁଟର ବହୁତ କମ୍‌ ଅଛନ୍ତି। ଗୃହ ବିଭାଗ ଠିକ୍‌ ଚାଲିଲେ ରାଜ୍ୟର ଉନ୍ନତି ହେବ। ସରକାର ପିପିପି ଏବଂ ଏପିପିକୁ କ୍ୟାଡରଭୁକ୍ତ କରନ୍ତୁ। ହୋମଗାର୍ଡମାନଙ୍କ ଦରମା ବୃଦ୍ଧି କରାଯାଉ, ଥାନାରେ ବ୍ୟବହାର ହେଉଥିବା ଗାଡିରେ ତେଲ ଅଧିକ ଦେବାକୁ ଯୋଜନା କରାଯାଉ। ଭବାନୀପାଟଣାରେ ମାଓବାଦୀମାନେ ଥାନାରୁ ବନ୍ଧୁକ ନେଇ ପଳାଇଯାଉଛନ୍ତି। ପୋଲିସ ଠିକ୍‌ କାମ କରିପାରୁନାହିଁ। ସବୁ ଛକରେ ସିସିଟିଭି ଲଗାଯାଉ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯେତେକି ଅର୍ଥ ଦେଉଛନ୍ତି ତାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ କରିପାରୁନାହାନ୍ତି। ସେହି ବଳକା ଟଙ୍କାକୁ ସରକାର ତୁରନ୍ତ ଖର୍ଚ୍ଚ କରନ୍ତୁ। ସାଧାରଣ ଲୋକମାନଙ୍କୁ ପୋଲିସ ଇନଫର୍ମର ଭାବି ହତ୍ୟା କରାଯାଉଥିଲେ ମଧ୍ୟ ପୋଲିସ କିଛି କରିପାରୁନାହିଁ। ଅପରାଧ କମିବା ଦିଗରେ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ନାଏକ କହିଛନ୍ତି।