ଗୃହିଣୀରୁ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ

ଭଦ୍ରକ ଅଫିସ,୧୬।୩-ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇ ରହିନାହାନ୍ତି ମହିଳା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗରେ। ପାଠ ଠାରୁ ଆରମ୍ଭ କରି କ୍ରୀଡ଼ା ସବୁଠି ସେମାନେ ପୁରୁଷଙ୍କ ଭଳି ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏପରିକି ଚାଷ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ସ୍ବାବଲମ୍ବୀ ହୋଇପାରୁଛନ୍ତି। ଯେକୌଣସି କାମ ହେଉ କିଛି କରିବାର ଦୃଢ଼ ମନୋବଳ ଥିଲେ ତାହା ରାସ୍ତା ଦେଖାଏ। ଏଭଳି ସାହସ ଓ ଉଦ୍ୟମ ଜାରି ରଖି ବୈଜୟନ୍ତୀ ରଣା ନାମ୍ନୀ ଜଣେ ଗୃହିଣୀ ଟେଲରିଂକୁ ରୋଜଗାରର ପନ୍ଥା ଭାବେ ଆପଣାଇ ଆଗକୁ ବଢ଼ି ଚାଲିଛନ୍ତି। ଏଥିରେ ନିଜ ପରିବାର ଚଳାଇ ଅନ୍ୟ ୨୫ ମହିଳା ଓ ପୁରୁଷଙ୍କୁ ରୋଜଗାର ଦେଇ ସେମାନଙ୍କ ପରିବାରକୁ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଏଭଳି ଦକ୍ଷତା ଓ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଦ୍ୱାରା ସର୍ବପ୍ରଥମ ମହିଳା ଅଣୁ, କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଭାବେ ସମ୍ମାନିତ ହୋଇଛନ୍ତି।
ବୈଜୟନ୍ତୀଙ୍କ ଘର ଭଦ୍ରକ ପୌରାଞ୍ଚଳ ଅଧୀନ ଅପର୍ତ୍ତିବିନ୍ଧା କୁମ୍ଭାରସାହିରେ। ସ୍ବାମୀ ବିଜୟ କୁମାର ରଣା ଓ ପୁଅ ରାଜାକୁ ନେଇ ତାଙ୍କ ପରିବାର। ତାଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ବୈଜୟନ୍ତୀ ୨୦୦୮ରେ ଏକ ଘରୋଇ ଆଇଟିଆଇରେ ଟେଲରିଂ ଶିକ୍ଷାଲାଭ କରିଥିଲେ। ଏହାର ଦୁଇବର୍ଷ ପରେ ନିଜ ଘରେ ଆରମ୍ଭ କରିଥିଲେ ଏକ ଛୋଟ ସିଲେଇ କେନ୍ଦ୍ର। ଅନ୍ୟମାନେ ଏହାକୁ ଦେଖି କେବେ ଭାବି ନ ଥିଲେ ଯେ, ଏହି କେନ୍ଦ୍ର ଦିନେ ଶିଳ୍ପ ରୂପ ନେବ। ବର୍ତ୍ତମାନ ଏହି କେନ୍ଦ୍ରରୁ ମହିଳାଙ୍କ ଅନ୍ତଃବସ୍ତ୍ରଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପ୍ୟାଣ୍ଟ ଓ ବାନିଆନ୍‌ ଭଳି ୨୩ ପ୍ରକାର ବସ୍ତ୍ର ପ୍ରସ୍ତୁତ କରାଯାଇ ୩ଟି ଜିଲାକୁ ବିକ୍ରି ପାଇଁ ପଠାଯାଉଛି। କଲିକତା, ଦିଲ୍ଲୀ ଓ ମାଡ୍ରାସରୁ କପଡ଼ା ଆଣି ସେ କର୍ମଚାରୀଙ୍କ ଦ୍ୱାରା ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ବିଭିନ୍ନ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାରେ ଷ୍ଟଲ୍‌ ଖୋଲି ବ୍ୟବସାୟକୁ ପ୍ରସାର କରାଇପାରିଛନ୍ତି। ଆଗକୁ ଅଧିକ ଜିଲାକୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଯୋଗାଇବାକୁ ଆଶା ରଖିଥିବା କହିଛନ୍ତି। ୧୨ ବର୍ଷ ତଳେ ସେ ଖୋଲିଥିବା ସିଲେଇ କେନ୍ଦ୍ର ୨୫ ପରିବାର ଚଳାଇ ଆସୁଥିବାରୁ ଏହି ଖୁସି ତାଙ୍କୁ ବିମୋହିତ କରୁଛି। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଏଭଳି ସଫଳତା ଆଣି ଦେଇଥିବା ସେ କହିଛନ୍ତି।