ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୂତାଣୁ କବଳରୁ ରକ୍ଷା ପାଇଁ ମଙ୍ଗଳବାର ଗୁମ୍ମା ବ୍ଲକ୍‌ ପ୍ରଶାସନ ଆନୁକୂଲ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଲକ୍‌ ସଦର ସମେତ ବିଭିନ୍ନ ପଞ୍ଚାୟତରେ ବିଶୋଧକ ସିଞ୍ଚନ କରି ସାନିଟାଇଜ୍‌ କରାଯାଇଛି। ସ୍ଥାନୀୟ ପାଇକ ସାହି, ବ୍ଲକ୍‌ କାର୍ଯ୍ୟାଳୟ ପରିସର, କୃଷି କାର୍ଯ୍ୟାଳୟ, ପଞ୍ଚାୟତ, ସେରଙ୍ଗ ଥାନା, ବ୍ୟାଙ୍କ, ମୁଖ୍ୟ ରାସ୍ତା ଏବଂ ଅନ୍ୟ କେତେକ ପଞ୍ଚାୟତ ଅଞ୍ଚଳରେ ବିଶୋଧକ ସିଞ୍ଚନ କରାଯାଇଥିଲା। ସେହିପରି ପିଇଓମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମାଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। ଏହି ସମୟରେ ଗୁମ୍ମା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝି, ବିଡ଼ିଓ ନଟବର ଗରଡା, ପିଇଓ ଏସ୍‌. ରାନାମା ଓ ଅଗ୍ନିଶମ ଅଧିକାରୀ ରାମଚନ୍ଦ୍ର ସେଠୀଙ୍କ ଉପସ୍ଥିତ ଥିଲେ।