ଗୁମୁଡୁମାହା ଗୁଳିକାଣ୍ଡ ମାମଲା : ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଦେବାକୁ ସରକାର ବାଧ୍ୟ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ) : କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତକଙ୍କ ପରିବାରକୁ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁକମ୍ପାମୂଳକ କ୍ଷତିପୂରଣ ସର୍ବାଧିକ ୭ଲକ୍ଷ ଟଙ୍କା ହୋଇଥିବାରୁ ଏହାର ସମୀକ୍ଷା ପାଇଁ ଗୃହବିଭାଗ ପକ୍ଷରୁ ଯେଉଁ ରିଭ୍ୟୁ ପିଟିଶନ ହୋଇଥିଲା ତାହାକୁ କମିଶନ ଖାରଜ କରି ଦେଇଛନ୍ତି। ଏହି ଆବେଦନର କୌଣସି ଦମ୍‌ ନାହିଁ କି କମିଶନ ଦେଇଥିବା ଆଦେଶର ପୁନଃ ବିଚାରର କୌଣସି ଯଥାର୍ଥତା ନାହିଁ। କମିଶନ ସଦସ୍ୟ ବିଚାରପତି ରଘୁବୀର ଦାଶ ଉକ୍ତ ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ପୂର୍ବ ଆଦେଶକୁ କାଏମ ରଖି ସରକାର ମୃତକଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ଦେବାକୁ ବାଧ୍ୟ ବୋଲି କହିଛନ୍ତି।
୨୦୧୬ ଜୁଲାଇ ୭ରେ ଗୁମୁଡୁମାହାଠାରେ ପୋଲିସ ଗୁଳିରେ ଜଣେ ଦେଢବର୍ଷର ଶିଶୁ ସହ ୫ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୮ଜଣ ଆହତ ହୋଇଥିଲେ। ଏହି ଘଟଣାରେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କନ୍ଧମାଳ ଜିଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ତଦନ୍ତ କରି ସରକାରଙ୍କୁ ବର୍ଷକ ତଳୁ ରିପୋର୍ଟ ଦେଇଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ଅନ୍ୟପକ୍ଷରେ ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ଏତେ ଜୀବନହାନି ଘଟି ନ ଥାନ୍ତା ବୋଲି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓଏଚ୍‌ଆର୍‌ସିଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ଜୀବନ ରକ୍ଷା କରିବାରେ ବିଫଳ ହୋଇଥିବାରୁ କମିଶନ ଏଥିପାଇଁ ସରକାରଙ୍କୁ ଦାୟୀ କରି ମୃତକଙ୍କ ପରିବାରଙ୍କୁ ଦିଆଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ବାଦ୍‌ ଅଧିକ ୨ଲକ୍ଷ ଟଙ୍କା କ୍ଷତିପୂରଣ ୨ମାସ ମଧ୍ୟରେ ଦେବାକୁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ୨୦୧୮ ଅଗଷ୍ଟ ୨୪ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର କମିଶନଙ୍କ ଆଦେଶକୁ ପାଳନ ନ କରି ୨୦୧୯ ଜାନୁୟାରୀ ୨୪ରେ ଆଦେଶର ପୁନର୍ବିଚାର ପାଇଁ ଗୃହ ବିଭାଗ ପକ୍ଷରୁ ରିପିଟିଶନ କରାଯାଇଥିଲା। ସୂଚନାଯୋଗ୍ୟ, ନିର୍ଦ୍ଦେଶ ମୁତାବକ ଅତିରିକ୍ତ କ୍ଷତିପୂରଣ ମିଳି ନ ଥିବାରୁ ମୃତ ଓ ଆହତଙ୍କ ପରିବାର ଲୋକେ କମିଶନଙ୍କୁ ଭେଟିଛନ୍ତି। ସେହିଭଳି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌, ପାଣି, ରାସ୍ତା ବ୍ୟବସ୍ଥା କରିବା ପାଇଁ କମିଶନ ଦେଇଥିବା ଆଦେଶକୁ ମଧ୍ୟ ପାଳନ କରାଯାଇ ନ ଥିବା ଜଣାଇଛନ୍ତି।