Categories: ରାଜ୍ୟ

ଗୁଣାତ୍ମକ ଶିକ୍ଷାରେ ଜିଲା ପଛୁଆ: ମାଟ୍ରିକ ପରୀକ୍ଷାରେ ୪୦୦୦ ପିଲା ଫେଲ୍‌

ଢେଙ୍କାନାଳ ଅଫିସ, ୩୦ା୫: ଗୁଣାତ୍ମକ ଶିକ୍ଷାରେ ପଛରେ ପଡ଼ିଛି ଢେଙ୍କାନାଳ ଜିଲା। ମାଟ୍ରିକ ପରୀକ୍ଷାରେ ୪ ହଜାର ପିଲା ଅକୃତକାର୍ଯ୍ୟ ହେବା ପରେ ଏପରି ଚିତ୍ର ପଦାକୁ ଆସିଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲା ଶିକ୍ଷା ବିଭାଗ। ଏହାପରେ ମାଟ୍ରିକ୍‌ ପାସ୍‌ ହାର ବଢ଼ାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ କସରତ। ବୁଧବାର ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏହାର ସମୀକ୍ଷା କରିଛନ୍ତି।
ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଆରମ୍ଭ ହୋଇଛି ‘ସାଥ୍‌’। ଏହାର ମାସିକ ସମୀକ୍ଷା କରାଯାଉଛି। ରିପୋର୍ଟ ପଠାଯାଉଛି ରାଜ୍ୟ ସରକାରଙ୍କୁ। ତଥାପି ଢେଙ୍କାନାଳ ଜିଲାରେ ଏତେ ସଂଖ୍ୟାରେ ମାଟ୍ରିକ ପରୀକ୍ଷାର୍ଥୀ ଫେଲ ହେବା ଆଶ୍ଚର୍ଯ୍ୟ କରିଛି। ଶିକ୍ଷାୟତନରେ ଶୈକ୍ଷିକ ପରିବେଶ ନ ଥିବାରୁ ଏପରି ରେଜଲ୍ଟ ହୋଇଥିବା କୁହାଯାଉଛି। ଫେଲ୍‌ ହୋଇଥିବା ୪୦୦୦ ଛାତ୍ରୀଛାତ୍ରଙ୍କୁ ପାସ୍‌ କରାଇବା ଲାଗି ରିମେଡିଆଲ କୋଚିଂ ଯୋଗାଇ ଦେବାକୁ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି।
ଜିଲାର ୪୪% ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଶୌଚାଳୟ ନ ଥିବାରୁ ଛାତ୍ରୀଛାତ୍ର ସମସ୍ୟା ଭୋଗୁଛନ୍ତି। ଅନେକ ସ୍କୁଲରେ ସ୍ବଚ୍ଛ ପାନୀୟ ଜଳର ସୁବିଧା ଅଦ୍ୟାବଧି ଉପଲବ୍ଧ କରାଯାଇପାରିନାହିଁ। ଆସନ୍ତା ଜୁଲାଇ ସୁଦ୍ଧା ଶୌଚାଳୟ କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ଏହି ଅବସରରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ‘ଫନୀ’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୩୦ଲକ୍ଷ ୩୨ହଜାର ୯୨୧ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ବୈଠକ ପରିଚାଳନା କରିଥିବାବେଳେ ‘ସାଥ୍‌’ ଅଧିକାରୀ ସଂଘମିତ୍ରା ତ୍ରିପାଠୀ ଏବଂ ପ୍ରଫୁଲ୍ଲ ପରଖ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।