ଗୁଡ଼ି ସୂତାରେ ଯୁବକଙ୍କ ଗଳା କଟିଲା

କଟକ ଅଫିସ, ୧୭ା୧୨: କଟକ ସହରରେ ପ୍ରଶାସନ ପକ୍ଷରୁ କିଛିବର୍ଷ ହେବ ମାଞ୍ଜାସୂତା ଉପରେ କଟକଣା ଲଗାଯାଇଛି। ହେଲେ ଏହି କଟକଣାକୁ ଲୋକେ ମାନୁ ନାହାନ୍ତି। ଖୁଲମଖୁଲା ମାଞ୍ଜାସୂତାରେ ଗୁଡ଼ି ଉଡ଼ା ଚାଲିଛି। ଫଳରେ ଲୋକେ ମାଞ୍ଜାସୂତାର ଶିକାର ହେଉଛନ୍ତି। ମଙ୍ଗଳବାର ଜଗତପୁର ବଜାରରେ ଗୁଡ଼ି ମାଞ୍ଜାସୂତାରେ ଜଣେ ଯୁବକଙ୍କ ଗଳା କଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲା ଛତିଆ ଅଞ୍ଚଳର ମନୋଜ ସାହୁ। ମନୋଜ ଜଗତପୁରରୁ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ପାଖରେ ଉଡୁଥିବା ଏକ ଗୁଡ଼ିିର ମାଞ୍ଜାସୂତା ତାଙ୍କ ବେକରେ ଲାଗିଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ମେଡିକାଲ ନେଇଯାଇଥିଲେ। ଅନ୍ୟପଟେ ମାଞ୍ଜାସୂତା ବିକିବା ବେଆଇନ ହୋଇଥିଲେ ମଧ୍ୟ ସହରରେ ବେଧଡ଼କ ବିକ୍ରି ଚାଲିଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ହେଉ ନ ଥିବାରୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି।