ଗୁଡ଼ିଆପୋଖରୀ ଛକ ନିକଟରେ ଦୁର୍ଘଟଣା: ବସ୍‌ ଚକାତଳେ ଖସି ପଡ଼ି ଦୁଇ ଛାତ୍ର ମୃତ

ପୁରୁଣା ଭୁବନେଶ୍ୱର/ପିପିଲି,୯।୧୦(ଡି.ଏନ୍‌.ଏ.): ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ଡିଭାଇଡର ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁୁ ଜଣେ ହେଲେ ଆକାଶ ବାରିକ। ସେ କଟକର ଏକ ଘରୋଇ କଲେଜରେ ପଢ଼ୁଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଅନ୍ୟ ଛାତ୍ରଙ୍କ ପରିଚୟ ମିଳିପାରିନାହିଁ।

ସୂଚନାନୁଯାୟୀ, ବସ୍‌(ଓଆର୍‌୦୨ଏଜେ୬୦୩୪)ଟି ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଉକ୍ତ ସ୍ଥାନରେ ବାଇକ୍‌ (ଓଡି୦୨ଏସି୦୫୭୯)ଟି ଓଭରଟେକ କରୁଥିଲା। ହେଲେ ଭାରସାମ୍ୟ ହରାଇ ଉଭୟ ଗାଡ଼ିର ଚକା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ୨୦ ମିଟର ଦୂରକୁ ଘୋଷାଡ଼ି ହୋଇଯାଇଥିଲେ। ଉଭୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତାରୋକୋ କରିଥିଲେ। ଏକାଧିକ ଥର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ଏବଂ କର୍ମଚାରୀ ମୁତୟନ କରିବା ଲାଗି ଲୋକେ ଦାବି କରିଥିଲେ। ଖବର ପାଇ ସେଠାରେ ପିପିଲି ଥାନା ଆଇଆଇସି ଶରତ ଚନ୍ଦ୍ର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦାବି ପୂରଣ କରାଯିବ ବୋଲି କହିଥିଲେ। ଏହା ପରେ ରାସ୍ତାରୋକୋ ହଟିବା ସହ ମୃତଦେହକୁ ପୋଲିସ ଜବତ କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି।