ଗୁଗଲ୍‌ ଟ୍ରାନ୍ସଲେଟରରେ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ ହୋଇଛି ଓଡ଼ିଆ ଭାଷା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ସର୍ଚ୍ଚଇଞ୍ଜିନ୍‌ ଗୁଗଲ୍‌ର ଅନୁବାଦ ବିଭାଗରେ ୫ ନୂଆ ଭାଷାକୁ ସାମିଲ କରାଯାଇଥିବା ବେଳେ ଏଥିରେ ଓଡ଼ିଆ ମଧ୍ୟ ରହିଛି। ଗତ ୪ବର୍ଷ ମଧ୍ୟରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ କୌଣସି ନୂଆ ଭାଷାକୁ ଯୋଡ଼ା ଯାଇ ନ ଥିବାବେଳେ ଏବେ ଓଡ଼ିଆ ସମେତ କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ୍‌ ଏବଂ ଉଇଘୁରକୁ ସାମିଲ କରାଯାଇଛି। ଏହି ଭାଷାଗୁଡ଼ିକ ବିଶ୍ୱର ୭୫ ମିଲିଅନ୍‌ ଅର୍ଥାତ୍‌ ୭.୫କୋଟି ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଗୁଗଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ନୂତନ ଭାଷା ଯୋଡ଼ାଯିବା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ ଭାଷା ସଂଖ୍ୟା ଏବେ ୧୦୮ରେ ପହଞ୍ଚିଛି। ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ଓଡ଼ିଆ ଯୋଡ଼ିହେବା ଦ୍ୱାରା ଇଂଲିଶରୁ ହିନ୍ଦୀ, ବଙ୍ଗଳା, ତାମିଲ ଏବଂ ଅନ୍ୟ ଭାରତୀୟ ଭାଷାକୁ ଅନୁବାଦ ଭଳି ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ବର୍ତ୍ତମାନ ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଥିବାରୁ ଆଗାମୀ କିଛିଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ। ତେବେ ‘ବେଟା ଭର୍ସନ୍‌’ ଆସିଥିବାରୁ ସମସ୍ତ ଭାଷାରେ ବ୍ୟବହାରକାରୀ ଟ୍ରାନ୍ସଲେଶନ୍‌ ବ୍ୟବସ୍ଥାର ସୁଯୋଗ ନେଇପାରିବେ। ସେହିଭଳି ସମସ୍ତ ଭାଷା ଟେକ୍ସଟ୍‌ ଏବଂ ଓ୍ବେବ୍‌ସାଇଟ୍‌ ଟ୍ରାନ୍ସଲେଶନକୁ ସପୋର୍ଟ କରୁଥିବାବେଳେ ବର୍ତ୍ତମାନ କେବଳ କିନ୍ୟାରୱାଣ୍ଡା, ଟାଟାର ଏବଂ ଉଇଘୁର୍‌ ଭାଷା ପାଇଁ ଭର୍ଚୁଆଲ୍‌ କି-ବୋର୍ଡ ଇନ୍‌ପୁଟ୍‌ ବ୍ୟବସ୍ଥା ରହିଛି। ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବାବେଳେ ଏହା ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବ୍ୟବହୃତ ହୋଇଥାଏ। ହେଲେ ବ୍ୟାପକ ୱେବ୍‌ କଣ୍ଟେଣ୍ଟର ଅଭାବ ଯୋଗୁ ଓଡ଼ିଆକୁ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ କରିବାରେ ବିଳମ୍ବ ହେଉଥିଲା। ଗୁଗଲ୍‌ର ମେଶିନ୍‌ ଲର୍ନିଂ ଟେକ୍ନୋଲୋଜି ସହାୟତାରେ ଏବଂ ଗୁଗଲ ଟ୍ରାନ୍ସଲେଟ୍‌ କମ୍ୟୁନିଟିର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଥିବା ଗୁଗଲ୍‌ ପକ୍ଷରୁ କୁହାଯାଇଛି।