ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର

ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର ହସୁଥିବ ଇଣ୍ଡିଆ’ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କଳାକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସପନରେ ଆସୁଛି ନୂଅଁା ସକାଳ, ସହର ଗଳିଥି ସବୁଆଡେ ଆସିବ ଖୁସି, ଭୋକ ଓ ଉପାସରେ କେହି ରହିବେ ନାହିଁ। କିଛି ସମୟ ଧର୍ଯ୍ୟ ସହ ଆମକୁ ରହିବାକୁ ହେବ । ସଚେତନ ହୋଇ କଟକଣା ପାଳନ କଲେ କରେନା ହାରିଯିବ । ପୁଣି ସେଇ ସକାଳ ପ୍ରକୃତିର ସୌନ୍ଦର୍ଯ୍ୟ ଆସିବ । ଯେଭଳି ଭାବେ ଆମ ହସ ଖୁସିର ଦୁନିଆ ରହୁଥିଲା ପରିବେଶ ଚମକି ଉଠୁଥଲା ସେଭଳି ଭାବେ ପୁଣି ଚମକି ଉଠିବ । ପୁଣି ଇଣ୍ଡିଆ ହସି ଉଠିବ ବୋଲି ଗୀତରେ ବର୍ଣ୍ଣନା କରାଯାଇଛି। ଏହି ଭିଡିଓ ଜନସାଧାରଣଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟକ ହୋଇଛି । ଉକ୍ତ ଭିଡିଓରେ ସମଲେଇ ମନ୍ଦିର, ଶୀଳତଷଷ୍ଠୀ ଯାତ୍ରା, ରଥ ଯାତ୍ରା, ସମ୍ବଲପୁରୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ବିଭିନ୍ନ ଆଞ୍ଚଳିକ ଓ ପାରମ୍ପରିକ ନାଚ ଗୀତ, ପୋଲିସ କର୍ମଚାରୀଙ୍କ ଏବଂ ସ୍ବାସ୍ଥ୍ୟକର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଦୃଶ୍ୟ ସ୍ଥାନିତ ହୋଇଛି । କମ୍ପୋଜର ଓ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ। ଗୀତ ରଚନା ଅମୂଲ୍ୟ ଡନସେନା କରିଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ରେହାନ କମଳ ା ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି ବିଶ୍ୱଜିତ୍‌ ସମାଲ, ସୁବୋଧ ମହାରଣା। ଏଥିରେ ଅଭିନୟ କରିଛନ୍ତି ପଦ୍ମଶ୍ରୀ କବି ହଳଧର ନାଗ, ଯୁବ ହାସ୍ୟ ଅଭିନେତା ଯୋଗେଶ ଯୋଯୋ, ବିନ୍ଦୁ, ପଙ୍କଜ ଜାଲ, ଭାରତ ଗୌରବ, ପଦ୍ମିନୀ ଡୋରା, ଉମାକାନ୍ତ ବାରିକ, ଶାନ୍ତ୍ୱନୁ ସାହୁ, ଶୀତଳ ସାହୁ,ସର୍ବେଶ୍ୱର ଭୋଇ ପ୍ରମୁଖ ।
ଏ ସମ୍ପର୍କରେ ହଳଧର କହିଛନ୍ତି, ଭୂତାଣ ଜନିତ ରୋଗ ସଂକ୍ରମଣ ହେବା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ହୋଇଛି । ସରକାର ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । କବି, କଳାକାରମାନଙ୍କୁ ମଧ୍ୟ ଅନେକ ଲୋକ ବିଶ୍ୱାସ ଓ ଅନୁକରଣ କରିଥାନ୍ତି । ତେଣୁ ଏକ ଗୀତ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି। କରୋନା ମୁକାବିଲା ପାଇଁ କାମ କରୁଥିବା କର୍ମଚାରୀମାନଙ୍କ ମନୋବଳ ବଢାଇବା ଆମର ଲକ୍ଷ୍ୟ ରହିଛି । ସାମାଜିକ ଦୂରତ୍ୱ ମାନିବା, ମାସ୍କ ପିନ୍ଧିବା ଓ ସରକାର ଦେଇଥିବା ଲକ୍‌ଡାଉନ ମିଆଦୀ ପୂରଣ କଲେ କରୋନାକୁ ଜିତି ହେବ । ନିଜେ ବଞ୍ଚିବା, ଦେଶକୁ ବଞ୍ଚାଇବା ଆମର ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।