ଗିରଫ ହେଲେ ପ୍ରଧାନଶିକ୍ଷକ, ଆଟେଣ୍ଡାଣ୍ଟ: ରୋଷେୟାଙ୍କୁ ଅସଦାଚରଣ ଘଟଣା

ଦାରିଙ୍ଗବାଡି,୨୬ା୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ବିଧବା ରୋଷେୟାଙ୍କୁ ଅସଦାଚରଣ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ମଙ୍ଗଳବାର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଯିଶାୟ ପ୍ରଧାନ ଓ କୁକ କମ୍‌ ଆଟେଣ୍ଡାଣ୍ଟ ସଂସାରୀ ଦିଗାଲ୍‌ଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଆଇଆଇସି କୌଶିକ ମାଝି ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଗତ ୪ବର୍ଷ ହେଲା ଉକ୍ତ ବିଦ୍ୟାଳୟରେ ରେଷେୟା ଭାବେ ନିଯୁକ୍ତି ପାଇ ହଷ୍ଟେଲରେ ରୋଷେଇ କରୁଥିଲେ। ପ୍ରଧାନଶିକ୍ଷକ ପ୍ରଧାନ ଏବଂ ଆଟେଣ୍ଡାଣ୍ଟ ସଂସାରୀ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରି ଆସୁଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ଚାକିରିରୁ ବିଦା କରିଦେବେ ବୋଲି ଧମକ ଦେଉଥିଲେ। ଗତ ୩ ବର୍ଷ ହେଲା ରୋଷେୟା ଜଣକ ଏଭଳି ନିର୍ଯାତନା ପାଇ ଆସୁଥିଲେ ମଧ୍ୟ ଭୟରେ କାହାରିକୁ ଜଣାଉ ନ ଥିଲେ । ପରେ ଏ ନେଇ ସେ ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଥିଲେ । ନଂ.୨୬/୨୦ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ସୋମବାର ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏବଂ ଆଟେଣ୍ଡାଣ୍ଟଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯିବା ପରେ ମଙ୍ଗଳବାର ଗିରଫ କରାଯାଇଛି।