ଗିନିଜ୍‌ ବୁକ୍‌ ରେକର୍ଡ ପାଇଁ ରଥ ଯାଞ୍ଚ

କେନ୍ଦୁଝର,୩ା୮(ଡି.ଏନ.ଏ.)- କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥରର ଉଚ୍ଚତା ୭୨ଫୁଟ ଓ ଗୋଲେଇ ୪୫ଫୁଟ। ଏହାକୁ ବିଶ୍ୱର ସର୍ବୋଚ୍ଚ ରଥ କୁହାଯାଇଥାଏ। ଏହାକୁ ଗିନିଜ୍‌ ବୁକ୍‌ରେ ସ୍ଥାନ ଦେବା ସକାଶେ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ କେନ୍ଦୁଝର ଗସ୍ତ କରି ପୁରୁଣା ସହରରେ ଥିବା ରଥକୁ ଯାଞ୍ଚ କରିଥିଲେ। ସେମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କ ମତାମତ ଲୋଡିବା ସହ ରଥର ଉଚ୍ଚତା ଓ ଗୋଲେଇର ଭିଡିଓ କରିଥିଲେ। ଏହି ଯାଞ୍ଚ ବେଳେ କେନ୍ଦୁଝର ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ସୋମନାଥ ପ୍ରଧାନ, ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ପ୍ରଦୀପ କୁମାର ରଥ, ସହକାରୀ ଯନ୍ତ୍ରୀ ଇଂ ଗୌରହରୀ ମହାନ୍ତ, ସଂଗ୍ରାହକ ସୁଜିତ କୁମାର ପଟ୍ଟନାୟକ, ରଥ ମହାରଣା ନୀଳମଣି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ସୁପରଭାଇଜର ପଞ୍ଚାନନ ସାହ ଏବଂ ମ୍ୟାନେଜର ପ୍ରସନ୍ନ କୁମାର ରାଉତଙ୍କ ସମେତ ମନ୍ଦିର ପ୍ରଶାସନର ବରିଷ୍ଠ କର୍ମଚାରୀ ରାଜକିଶୋର ପଣ୍ଡା, ଦ୍ୱାରିକା ପ୍ରସାଦ ରଥ ଓ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ମତାମତ ରଖିଥିଲେ। ପୂର୍ବରୁ ଏହି ରଥ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ ସମେତ ୫ଟି ବିରଳ ରେକର୍ଡରେ ସ୍ଥାନ ପାଇବାର ଯୋଗ୍ୟତା ହାସଲ କରିଛି। ଆନ୍ତର୍ଜାତୀୟସ୍ତରରେ ସବୁଠାରୁ ସମ୍ମାନସ୍ପଦ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ଏହାକୁ ସ୍ଥାନ ଦେବା ସକାଶେ ସେମାନେ ସୁପାରିଶ କରିବେ ବୋଲି ଶୁକ୍ରବାର ଅପରାହ୍ନରେ ପ୍ରତିନିଧି ଦଳ ଯାଞ୍ଚ ପରେ କହିଥିଲେ।