ଗାର୍ଡଙ୍କୁ ମାଡ ମାରି ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଗଞ୍ଜାମ,୨୩ା୬(ଡି.ଏନ୍‌.ଏ.)- ଗଞ୍ଜାମ ସହର ଦୁର୍ଗାଦେବୀ ସାହି ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଜିତୁ ପଣ୍ଡାଙ୍କୁ ମାଡମାରି ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରିଥିଲେ। ସାହିଲୋକେ ପହଞ୍ଚିଥିବାରୁ ସେମାନେ ଦୌଡି ପଳାଇଥିଲେ। ଗଞ୍ଜାମ ପୋଲିସ ଜଣେ ଲୁଟେରାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ଗାର୍ଡ ପଣ୍ଡାଙ୍କ ଦେଇଥିବା ଏତଲା ଅନୁଯାୟୀ ଜଣେ ବ୍ୟକ୍ତି ସନ୍ଧ୍ୟାରେ ୨ଲକ୍ଷ ଟଙ୍କା ମେଶିନରେ ଡିପୋଜିଟ କରିଥିଲେ। ଏହାର କିଛି ସମୟ ପରେ ୩ ଜଣ ଯୁବକ ପହଞ୍ଚି ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଗାର୍ଡ ତାଙ୍କୁ ପ୍ରତିରୋଧ କରିବାରୁ ଜଣେ ଯୁବକ ଆକ୍ରମଣ କରିଥିଲେ। ଅନ୍ୟ ଉପାୟ ନ ପାଇ ଗାର୍ଡ ସାହିଲୋକଙ୍କୁ ଡାକ ପକାଇଥିଲେ। ସେମାନେ ପହଞ୍ଚିଥିବାରୁ ଲୁଟେରାମାନେ ପଳାଇଥିଲେ। ଏନେଇ ଗାର୍ଡ ଥାନାରେ ଏତଲା ଦେଇଥିବାବେଳେ ପୋଲିସ ତଦନ୍ତ ଚଳାଇଛି।