ଗାନ୍ଧିଜୀ: ହତ୍ୟା ନା ଦେହାବସାନ

ଡ. ରମେଶ ଚନ୍ଦ୍ର ପରିଡ଼ା
ଗାନ୍ଧିଜୀଙ୍କୁ ସାମାନ୍ୟତମ ବୁଝିଥିବା ଲୋକଟିଏ କଦାପି ବିଶ୍ୱାସ କରିପାରିବ ନାହିଁ ଯେ ତାଙ୍କୁ ହତ୍ୟା କରିବା ସମ୍ଭବ ବୋଲି। ତାଙ୍କୁ ହୁଏ ତ ମନେହେବ, ଏହା ଥିଲା ତାଙ୍କର ଦେହାବସାନ- ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ଜରାଶବର ନିମିତ୍ତମାତ୍ର ହୋଇ ଏହା ସମ୍ପାଦନ କରିଥିଲା ବେଳେ ଏ କ୍ଷେତ୍ରରେ ନାଥୁରାମ ଗଡ୍‌ସେ ତାହା କରିଛନ୍ତି। କାରଣ ତା’ ଦୃଷ୍ଟିରେ ସେ ଜଣେ ଯୁଗାବତାର ଏବଂ ତାଙ୍କର ସାମ୍ୟ ଥିଲା ଅହିଂସାର ବ୍ୟାପକ ପ୍ରଚାର ଓ ପ୍ରସାର କରିଥିବା ବୁଦ୍ଧଦେବଙ୍କ ସହିତ। ଗାନ୍ଧିଜୀ ତାଙ୍କ ଚିନ୍ତାଧାରାକୁ ପ୍ରୟୋଗସିଦ୍ଧ କରିପାରିଥିଲେ। ଅତଏବ ସେମାନଙ୍କ ମଧ୍ୟରେ ଜଣେ ବିଶୁଦ୍ଧ ତାତ୍ତ୍ୱିକ ବୈଜ୍ଞାନିକ ହେଲାବେଳେ ଆଉ ଜଣଙ୍କୁ ତାଙ୍କ ତତ୍ତ୍ୱର ପ୍ରାୟୋଗିକ ବିଚାରବୁଦ୍ଧିସମ୍ପନ୍ନ ବୈଷୟିକ ବିଜ୍ଞାନୀ ରୂପେ ମନେ କରାଯାଇପାରିବ।
ଯୋଗଗଜନ୍ମା ବୈଜ୍ଞାନିକ ଆଇନଷ୍ଟାଇନ୍‌ ଥରେ ଗାନ୍ଧିଜୀଙ୍କ ସମ୍ପର୍କରେ କହିଥିଲେ ଯେ, ଏପରି ରକ୍ତମାଂସଧାରୀ ମଣିଷଟିଏ ଏକଦା ଧରାପୃଷ୍ଠରେ ବିଚରଣ କରୁଥିଲା ବୋଲି ଆଗାମୀ ପିଢ଼ିର ଲୋକେ ବିଶ୍ୱାସ କରିପାରିବେ ନାହିଁ। ସେ ସତ କହିଥିଲେ। ପ୍ରକୃତରେ ଆମେ ତାହା ବିଶ୍ୱାସ କରିପାରୁନାହୁଁ। ଆମକୁ ସେ ଜଣେ ମଣିଷ ଅପେକ୍ଷା ମନେହେଉଛନ୍ତି ଏକ ସର୍ବବ୍ୟାପୀ ସତ୍ତାଟିଏ ଭଳି, ଯାହାକି ଯୁଦ୍ଧବିଗ୍ରହ, ଆତଙ୍କବାଦ, ହିଂସା ଏବଂ ଧାର୍ମିକ ଉଗ୍ରବାଦ ଭଳି ମଣିଷ ଜାତିକୁ ଧ୍ୱଂସମୁଖକୁ ଟାଣି ନେଉଥିବା ଅପରିଣାମଦର୍ଶୀ କାର୍ଯ୍ୟକଳାପର ଉଚିତ ମୁକାବିଲା ଲାଗି ଅଭିପ୍ରେତ।
ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱରେ ବହୁ ବିକଶିତ ତଥା ବିକାଶୀଳ ଦେଶ କୋଟି କୋଟି ଡଲାର ବ୍ୟୟ କରୁଛନ୍ତି। ଏହା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ବଜେଟର ଏକ ମୁଖ୍ୟଭାଗ ଏବଂ ସୈନ୍ୟ ଆକାରରେ ବିପୁଳ ମାନବସମ୍ବଳ ଏଥିରେ ନିୟୋଜିତ କରନ୍ତି। ପୁନଶ୍ଚ ଅନ୍ୟାନ୍ୟ ହିଂସାକାଣ୍ଡ, ଆତଙ୍କବାଦୀ କାର୍ଯ୍ୟକଳାପ ଆଦିରେ ଏସବୁ କେତେ ଯେ ବ୍ୟୟ ହେଉଛି ତା’ର ହିସାବ ନାହିଁ। ଚିନ୍ତା କରାଯାଉ ଯେ, ଏହାକୁ ଯଦି ମାନବଜାତିର କଲ୍ୟାଣ ଦିଗକୁ ନିଆଯାଇପାରନ୍ତା, ତା’ହେଲେ ଆମ ଜୀବନଧାରଣର ମାନ କେତେ ଉନ୍ନତ ନ ହୁଅନ୍ତା। ତେବେ ଏହି ଅନ୍ଧକାରମୟ ପରିସ୍ଥିତି ମଧ୍ୟରେ ଯେଉଁ ଧାରେ ଆଶାର ଆଲୋକ ଦୃଷ୍ଟିଗୋଚର ହେଉଛି ତାହା ହେଲା ଗାନ୍ଧିଜୀଙ୍କ ଦୈବୀସତ୍ତାର।
ମାନବଜାତିର ଭବିଷ୍ୟତ ପାଇଁ ଏବଂ ଦ୍ରୁତତର ମାଡି ଆସୁଥିବା ୬ଷ୍ଠ ମହାବିଲୁପ୍ତିକୁ ବିଳମ୍ବିତ କରିବାର ଏକମାତ୍ର ପନ୍ଥା ହେଲା ପରିବେଶ ଓ ପରିସଂସ୍ଥାର ସୁରକ୍ଷା। ଏଥିପାଇଁ ଷ୍ଟକ୍‌ହାମଠାରୁ ପ୍ୟାରିସ୍‌ ପର୍ଯ୍ୟନ୍ତ ବହୁ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ଏବଂ ଚୁକ୍ତି ସ୍ବାକ୍ଷରିତ ହୋଇ ସାରିଲାଣି। କିନ୍ତୁ ସେଗୁଡ଼ିକ କେବଳ ପାଳିତ ହେଉଛି ଉଲ୍ଲଂଘନରେ। ଫଳରେ ବାୟୁରେ ଅଙ୍ଗାରକାମ୍ଳ ନିରାପଦ ମାତ୍ରା ଟପି ସାରିଲାଣି। ମୁଣ୍ଡପିଛା ନିରାପଦ ଜଳର ଲଭ୍ୟତା ହ୍ରାସ ପାଇବାରେ ଲାଗିଛି। ପରିସଂସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି ଏବଂ ଦୈନିକ ବିଲୁପ୍ତ ହେଉଛନ୍ତି ଅନେକ ପ୍ରଜାତି। ଏହାର ମୁଖ୍ୟ କାରଣ ହେଲା ସ୍ବାର୍ଥ, ଯାହାକି ଜନ୍ମ ଦେଉଛି ଲୋଭକୁ। ଗାନ୍ଧିଜୀ କହିଥିଲେ ଯେ, ‘ଧରିତ୍ରୀ ମାତାର ସମସ୍ତଙ୍କ ଆବଶ୍ୟକତା ପୂରଣ ଲାଗି ସାମର୍ଥ୍ୟ ରହିଛି, କିନ୍ତୁ କାହାରି ଲୋଭ ଲାଗି ନୁହେଁ।’
ପ୍ରାକୃତିକ ସଂସାଧନ ଚାପଗ୍ରସ୍ତ ହେବାରେ ଲାଗିଛି। ଏହା ଏବେ ଏପରି ସ୍ତରରେ ପହଞ୍ଚିଲାଣି ଯେ, ପ୍ରକୃତି ତାହାକୁ ଆଉ ପୁନଃଭରଣ କରିବା ସମ୍ଭବ ହେଉନାହିଁ। ବୈଜ୍ଞାନିକମାନେ ଏହାକୁ ନେଇ ଏବେ ଗଣନା କରିଛନ୍ତି ‘ଧରିତ୍ରୀ ମାତା’ ଆମ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ଶେଷ ହେଉଛି। ବର୍ଷର ଯେଉଁଦିନ ଏହା ଶେଷ ହେଉଛି ତାହାକୁ କୁହାଯାଉଛି ‘ପୃଥିବୀର ସୀମା ଲଙ୍ଘନ ଦିବସ’ (ଦ ଆର୍ଥ ଓଭର ସୁଟ୍‌ ଡେ)। ଆଗରୁ ଏହାକୁ କହୁଥିଲେ ‘ପରିସଂସ୍ଥୀୟ ଋଣ ଦିବସ’ (ଦ ଇକୋଲୋଜିକାଲ୍‌ ଡେବ୍‌ଟ ଡେ)। ଏହାପରଠାରୁ ବର୍ଷସାରା ଆମେ ଯେତିକି ପ୍ରାକୃତିକ ସଂସାଧନ ବ୍ୟବହାର କରୁଛେ ତାହାର ପୁନଃଭରଣ କ୍ଷମତା ‘ଧରିତ୍ରୀ ମାତା’ର ନାହିଁ। ଅତଏବ ତାହା ଅନବରତ ପରିସଂସ୍ଥାର ଅବକ୍ଷୟ ଘଟାଇ ଚାଲୁଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ୧୯୮୭ ମସିହାରେ ଏ ଦିବସଟି ଥିଲା ଅକ୍ଟୋବର ୨୩। ଏହାପରେ ଉକ୍ତ ଦିନଗୁଡ଼ିକ ପାଖକୁ ପାଖକୁ ଘୁଞ୍ଚି ଆସିଲା- ୨୦୦୦ରେ ସେପ୍ଟେମ୍ବର ୨୩, ୨୦୧୦ରେ ଅଗଷ୍ଟ ୮, ୨୦୧୪ରେ ଅଗଷ୍ଟ ୮ ଏବଂ ୨୦୧୮ରେ ଅଗଷ୍ଟ ୧ ତାରିଖକୁ। ଅତଏବ ‘ଧରିତ୍ରୀ ମାତା’ର ବାର୍ଷିକ ଅବଦାନ କ୍ଷମତାକୁ ଆମେ ୭ ମାସରେ ଶେଷ କରିଦେଉଛୁ। ବର୍ଷର ଅବଶିଷ୍ଟ ଦିନ ଏହା ଆମକୁ ସଂସାଧନ ଯୋଗାଉଛି ଋଣରେ। ଫଳରେ ପରିସଂସ୍ଥାର ଅବନତି ଘଟିଚାଲିଛି। ଗାନ୍ଧିଜୀଙ୍କର ଉପରୋକ୍ତ ଉକ୍ତିଟି ହୃଦୟଙ୍ଗମ କରି ଆମେ ବାସ୍ତବତା ପ୍ରତି ସଚେତନ ନ ହୋଇ ଲୋଭଗ୍ରସ୍ତ ହୋଇ ଚାଲିଲେ ମହାବିଲୁପ୍ତି ଆସିବାରେ ବେଶି ବିଳମ୍ବ ହେବନାହିଁ।
ଅନେକେ କହୁଛନ୍ତି, ଗାନ୍ଧିଜୀଙ୍କର ଚିନ୍ତାଧାରା ଓ ଆଦର୍ଶ ଯୁଗୋପଯୋଗୀ ନୁହେଁ। ଏକଥା ବୋଧହୁଏ କିଛି ମାତ୍ରାରେ ସତ। କାରଣ ତାହା ବର୍ତ୍ତମାନ ପାଇଁ ଯେତିକି ଉପଯୋଗୀ ତା’ଠାରୁ ଅଧିକ ଉପଯୋଗୀ ମାନବଜାତିର ଭବିଷ୍ୟତ ଲାଗି। ପରିବେଶର ସୁରକ୍ଷା ଲାଗି ସଂଗ୍ରାମ ଚଳାଇଥିବା ସଚେତନ ଲୋକେ ଏବେ କହୁଛନ୍ତି, ‘ଆମ ଚିନ୍ତାଧାରା ଜାଗତିକ ଏବଂ କାର୍ଯ୍ୟ ସ୍ଥାନୀୟ ଭାବେ ହେଉ’, ଗାନ୍ଧିଜୀଙ୍କର ଏହି ବିଚାର ଗ୍ରହଣ କରି ନ ପାରିଲେ ତାହା ସମ୍ଭବ ହେବ ନାହିଁ।
ବିଶ୍ୱରେ ପରିବେଶର ସୁରକ୍ଷା ଦିଗରେ ‘ଷ୍ଟକ୍‌ହାମ୍‌ ଘୋଷଣାନାମା’କୁ ‘ମାଗ୍ନାକାର୍ଟା’ର ଆଖ୍ୟା ଦିଆଯାଏ। କାରଣ ଏଥିରେ ହିଁ ରହିଛି ତାହାର ପ୍ରାଥମିକ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା। ତହିଁରେ ଥିବା ୨୬ଟି ପ୍ରମୁଖ ଧାରାରୁ ପ୍ରତିଟିକୁ ବିଶ୍ଳେଷଣ କରିବସିଲେ ତାହା ଗାନ୍ଧିବାଦ ଉପରେ ପର୍ଯ୍ୟବସିତ ବୋଲି ମନେହୁଏ। ଉଦାହରଣ ସ୍ବରୂପ, ଜୈବବିବିଧତାର ସୁରକ୍ଷା ଲାଗି ଅହିଂସା ଏବଂ ପରିସଂସ୍ଥନୀୟ ଭାରସାମ୍ୟ ପାଇଁ ସରଳ ଜୀବନ ଓ ଉଚ୍ଚ ଚିନ୍ତା ଏକାନ୍ତ ପ୍ରୟୋଜନ।
ଏହିଭଳି ଆଲୋଚନା କରିବସିଲେ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ଯେ, ଗାନ୍ଧିଜୀଙ୍କର ଚିନ୍ତାଧାରା ଥିଲା ଅନେକାଂଶରେ ଭବିଷ୍ୟଧର୍ମୀ ଏବଂ ବିଜ୍ଞାନଭିତ୍ତିକ। ଏପରି ସ୍ଥଳେ ଗଡ୍‌ସେଙ୍କ ଭଳି ଜଣେ ସାଧାରଣ ଲୋକ ପକ୍ଷେ ତାଙ୍କୁ ବୁଝିବା ସମ୍ଭବ ହୋଇଥାନ୍ତା କିପରି? ତେଣୁ ଜରାଶବରକୁ ଶ୍ରୀକୃଷ୍ଣଙ୍କ ପାଦ ହରିଣର କାନ ଭଳି ପ୍ରତୀୟମାନ ହେଲା ପରି ସମ୍ଭବତଃ ଗାନ୍ଧିଜୀଙ୍କ ବିଶ୍ୱରୂପ ତାଙ୍କୁ ଭୟଙ୍କର ମନେହେବା ଅସମ୍ଭବ ନୁହେଁ। ଅନ୍ୟପକ୍ଷରେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଭାଷାରେ, ‘ଜୀବନର ଅସରନ୍ତି ଯାତ୍ରାପଥରେ ମୃତ୍ୟୁ ଏକ ସାମୟିକ ବିଶ୍ରାମ’। ଅର୍ଥାତ୍‌ ଜୀବନର ଅନ୍ତ ନାହିଁ। ଏଣୁ ଚାଲନ୍ତୁ ଆମେ ଏହା ବିଶ୍ୱାସ କରିବା ଯେ, ବିପଥଗାମୀ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ପାଇଁ ଯୁଗାବତାର ଗାନ୍ଧିଜୀଙ୍କର ପୁନର୍ବାର ଧରାବତରଣ ଘଟିବ। ଶେଷରେ ମନକୁ ଆସୁଛି ମହାନ୍‌ ଚିନ୍ତାନାୟକ ତଥା ଦାର୍ଶନିକ ବର୍ଟାଣ୍ଡ ରସେଲଙ୍କର ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ଲେଖିଥିବା ‘ଶ୍ରଦ୍ଧାଞ୍ଜଳି’। ସେ ସୂଚିତ କରିଥିଲେ ଯେ, ପ୍ରଥମେ ଖବରଟି ତାଙ୍କୁ ମ୍ରିୟମାଣ କରିଥିଲା। କିନ୍ତୁ ପରେ ପରେ ତାଙ୍କର ଭାବାନ୍ତର ଘଟିଲା ଏବଂ ତାଙ୍କ ପରି ଜଣେ ଆଜୀବନ ସଂଗ୍ରାମରତ ମଣିଷ ପାଇଁ ଏଭଳି ମୃତ୍ୟୁ ହିଁ ସ୍ବାଭାବିକ ବୋଲି ତାଙ୍କ ମନକୁ ଆସିଲା। ଚାଲନ୍ତୁ ଦେହାବସାନ ପରେ ଅଧିକ ବ୍ୟାପକ ହୋଇଥିବା ଗାନ୍ଧିଜୀଙ୍କ ସତ୍ତାକୁ ସର୍ବତ୍ର ଅନୁଭବ କରିି ତାଙ୍କରି ମାର୍ଗଦର୍ଶନରେ ପରିଚାଳିତ ହେବା।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri