Categories: ବାଣିଜ୍ୟ

ଗାଡ଼ି ଜରିମାନା ଡର;ଅନ୍‌ଲାଇନ ମୋଟର ବୀମା କାରବାର ବୃଦ୍ଧି

ନୂଆଦିଲ୍ଲୀ,୭-୯: ଦେଶରେ ଏବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଆରମ୍ଭ ହୋଇଛି। ଜଣେ ସ୍କୁଟି ଚାଳକଙ୍କ ଠାରୁ ୨୩ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ଅଟୋ ଚାଳକଙ୍କ ଠାରୁ ୪୭,୫୦୦ ଏବଂ ଟ୍ରକ୍‌ ଚାଳକଙ୍କ ଠାରୁ ସର୍ବାଧିକ ୫୯ ହଜାର ଟଙ୍କା ଆଦାୟ କରାଯାଇଥିବାର ନଜିର ସାମ୍ନାକୁ ଆସିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଯୋଗୁ ଭାରି ଜରିମାନା ଦେବା ଭୟ ଏବେ ଗାଡ଼ି ଚାଳକଙ୍କୁ ଛାନିଆ କରିଛି। ସେମାନେ ଏବେ ରାଷ୍ଟ୍ରାୟତ୍ତ, ଘରୋଇ ବୀମା କମ୍ପାନୀ ଅଫିସ୍‌ ଆଗରେ ଲାଇନ ଲଗାଉଥିବା ଦେଖାଯାଇଛି। ତେବେ ଅନ୍‌ଲାଇନରେ ଗାଡ଼ି ବୀମା ନେବା ଲାଗି ଗାଡ଼ି ଚାଳକଙ୍କ ଆଗ୍ରହ ବୃଦ୍ଧି ପାଇଛି। କାରଣ ଅନ୍‌ଲାଇନରେ ବୀମା ହାସଲ କରିବା ସହଜ ହେଉଛି ବୋଲି ଅନ୍‌ଲାଇନ ବୀମା ସେବା ଯୋଗାଉଥିବା କମ୍ପାନୀ ପଲିସିବାଜାର ଡଟ୍‌ କମ୍‌ ପକ୍ଷରୁ କୁହାଯାଇଛି। ଚଳିତ ସପ୍ତାହରେ ଅନ୍‌ଲାଇନ ମୋଟର ବୀମା କାରବାର ବହୁ ଗୁଣ ବଢ଼ିଛି ବୋଲି କମ୍ପାନୀ କହିଛି। ତେବେ ପୂର୍ବରୁ ବୀମା ଅବଧି ଶେଷ ହୋଇଥିବା କ୍ଷେତ୍ରରେ ଲୋକେ ପୁନର୍ବାର ବୀମା କିଣୁଥିବା ଦେଖାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗତ ତିନି ଦିନରେ ଏଭଳି ବୀମା ସଂଖ୍ୟା ୯୦% ରହିଛି। କମ୍ପାନୀର ମୁଖ୍ୟ କାରବାର ଅଧିକାରୀ(ସାଧାରଣ ବୀମା) ତରୁଣ ମାଥୁର କହିଛନ୍ତି ଯେ, ନୂଆ ଆଇନ ଲାଗୁ ହେବା ପର ଠାରୁ କମ୍ପାନୀ ଦୈନିକ ୩୦ ହଜାର ଗାଡ଼ି ବୀମା ବିକ୍ରି କରୁଛି। ପୂର୍ବାପେକ୍ଷା ଏହା ଦୁଇଗୁଣ ଅଧିକ। ବୈଧତା ଶେଷ ହୋଇଥିବା ବୀମାର ନବୀକରଣ ସର୍ବାଧିକ ହୋଇଛି। ବୀମା ଆବେଦନରୁ ଜଣାପଡିଛି ଯେ, ଗାଡ଼ି ଚାଳକଙ୍କ ମଧ୍ୟରେ ଜରିମାନାକୁ ନେଇ ଭୟ ଘାରିଛି। ସେମାନେ ଏହାକୁ ନେଇ ସତର୍କ ହେଲେଣି। ଏକ ଆକଳନ ଅନୁଯାୟୀ ଅଦ୍ୟାବଧି ୧୯ କୋଟି ପଞ୍ଜୀକୃତ ଗାଡ଼ି ମଧ୍ୟରୁ ମାତ୍ର ୮.୨୬ କୋଟିର ବୀମା ହୋଇଛି।

Share