ଗାଁ ମୁଣ୍ଡରେ ନରହନ୍ତା ଦନ୍ତା

ଛେଣ୍ଡିପଦା,୮।୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତରେ ଥିବା କୋରଡା, ପୁଟଗାଡିଆ ଗ୍ରାମ ମଧ୍ୟରେ ଗୁରୁବାର ଏକ ନରହନ୍ତା ଦନ୍ତା ବୁଲୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଅନେକ ଲୋକଙ୍କ ଜୀବନ ନେଇ ସାରିଥିବା ଉକ୍ତ ଦନ୍ତା ଛେଣ୍ଡିପଦା-ଜରପଡା ରାସ୍ତାର ପୁଟଗାଡିଆ ଓ କୋରଡା-କୋଶଳା ରାସ୍ତାର କୋରଡା ଗ୍ରାମ ମୁଣ୍ଡରେ ବହୁସମୟ ଧରି ବୁଲାବୁଲି କରିଥିଲା। ଫଳରେ ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ପ୍ରାୟ ୪/୫ଦିନ ହେବ ଏହି ଅଞ୍ଚଳରେ ହାତୀଟି ଚଳପ୍ରଚଳ କରୁଛି। ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ପୁଟଗାଡିଆ ଜଙ୍ଗଲକୁ ଘଉଡାଇବା ସହ ଗତିବିଧି ଉପରେ ନଜର ରଖିଛନ୍ତି।