ଗହଳି ପାରିଲେନି ସମ୍ଭାଳି

ଅନୁଗୋଳ ଅଫିସ, ୨୨।୪ – ଲକ୍‌ଡାଉନ୍‌ ଘୋଷଣା ପରଠାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ହ୍ରାସ ପାଇଥିଲା। ହେଲେ ୨୦ ତାରିଖରୁ କିଛିଟା କୋହଳ ହୋଇଥିବା ଶୁଣିବା ମାତ୍ରେ ମଙ୍ଗଳବାର ହଠାତ୍‌ ରୋଗୀ ସଂଖ୍ୟା ବେଶ୍‌ ବଢ଼ିଯାଇଥିଲା। ବହୁ ସଂଖ୍ୟକ ରୋଗୀ ଓ ସମ୍ପର୍କୀୟ ଆଉଟଡୋରରେ ଭିଡ଼ ଜମାଇଥିବା ବେଳେ ଅଲଟ୍ରାସାଉଣ୍ଡ ପାଇଁ ଗର୍ଭବତୀ ଓ ଅନ୍ୟ ମହିଳାମାନେ ବାରଣ୍ଡାରେ ବସି ରହିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଅନେକେ ସାମାଜିକ ଦୂରତା ରକ୍ଷା କରି ନ ଥିଲେ କି ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏସବୁ ନିୟମ ବାଧ୍ୟତାମୂଳକ ହୋଇଥିଲେ ବି ମେଡିକାଲ କର୍ତ୍ତୃପକ୍ଷ କଟକଣାକୁ କଡ଼ାକଡ଼ି କରିବା ପରିବର୍ତ୍ତେ ହାତ ଟେକିଦେଇଥିବା ଦେଖାଯାଇଥିଲା।
ପ୍ରକାଶ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ଲଗାଯାଇଥିବା କଟକଣା ଯୋଗୁ ସହରରେ ଥିବା ବିଭିନ୍ନ ନର୍ସିଂହୋମ୍‌ ଓ ଘରୋଇ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ ବନ୍ଦ ରହିଛି। ଏଥିସହ କରୋନା ଭୟ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇ ନ ଥିବାରୁ ବହୁ ସଂଖ୍ୟକ ଗର୍ଭବତୀ ଅଲଟ୍ରାସାଉଣ୍ଡ ପାଇଁ ମେଡିକାଲ ଆସିପାରୁ ନ ଥିଲେ। ତେବେ ୨୦ ତାରିଖର କୋହଳ କଥା ଚର୍ଚ୍ଚା ହେବା ପରେ ସମ୍ପୃକ୍ତା ଗର୍ଭବତୀ ଓ ଅନ୍ୟ ରୋଗୀମାନେ ମଙ୍ଗଳବାର ସକାଳୁ ମେଡିକାଲରେ ପହଞ୍ଚି ଯାଇଥିଲେ। ଫଳରେ ଗହଳି ରୋକିବାରେ କର୍ତ୍ତୃପକ୍ଷ ସକ୍ଷମ ହୋଇପାରି ନ ଥିଲେ। ଏଡିଏମ୍‌ଓ(ମେଡିକାଲ) ଶ୍ୟାମ ପ୍ରସାଦ ଦାସ କହିଛନ୍ତି, ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ଅତି ଜରୁରୀ ନ ଥିଲେ ମେଡିକାଲ ନ ଆସିବାକୁ ପରାମର୍ଶ ଦିଆଯାଇଥିଲା। ଏପରି କି ଲୋକମାନେ କିପରି ଚିକିତ୍ସାସେବା ପାଇପାରିବେ ସେଥିପାଇଁ ଡାକ୍ତରମାନଙ୍କ ଫୋନ୍‌ ନମ୍ବର ଜାରି କରାଯାଇଥିଲା। କିନ୍ତୁ ଲୋକମାନେ ଅମାନିଆ ହୋଇ କ’ଣ ଟିକେ ହେଲେ ମେଡିକାଲ ଦୌଡ଼ି ଆସୁଛନ୍ତି। ଦୈନିକ ୧୦ରୁ ୧୫ ଜଣଙ୍କ ଅଲଟ୍ରାସାଉଣ୍ଡ କରାଯିବା ସହ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ଉକ୍ତ ମେସିନ୍‌ ବ୍ୟବହାର କରାଯାଉଛି। କିନ୍ତୁ ଟାଗେର୍ଟ ଠାରୁ ଅଧିକ ଲୋକ ଆସୁଥିବାରୁ ବାଧ୍ୟ ହୋଇ ଅଧିକ ଅଲଟ୍ରାସାଉଣ୍ଡ କରିବାକୁ ପଡ଼ୁଛି। ବେଳେ ବେଳେ ଡାକ୍ତରମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ବାରମ୍ବାର ବୁଝାଯାଉଥିବା ସତ୍ତ୍ୱେ ଆସୁଥିବା ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ମଧ୍ୟ ପିନ୍ଧୁନାହାନ୍ତି। ଲୋକେ ନିୟମ ପାଳନ କରୁ ନ ଥିବାରୁ ଏହାକୁ ରୋକିବା କର୍ତ୍ତୃପକ୍ଷଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି ବୋଲି ଏଡିଏମ୍‌ଓ (ମେଡିକାଲ) ଦାସ ପ୍ରକାଶ କରିଛନ୍ତି।