ଗଳାବାଟ ଦେଇ ପାର୍‌ ହେଉଛନ୍ତି ଶ୍ରମିକ

ଚମ୍ପୁଆ,୧ା୫ (ଡି.ଏନ୍‌.ଏ.)- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ସବୁସ୍ତରରେ ସତର୍କତା ମୂଳକ ପଦକ୍ଷେପ ନିଆ ଯାଉଛି। ଜିଲା ତଥା ରାଜ୍ୟବାହାରୁ ଆସୁଥିବା ଲୋକଙ୍କ ସମେତ ଦୂରଦୂରାନ୍ତରୁ ସାଇକେଲରେ ଆସୁଥିବା ଶ୍ରମିକଙ୍କୁ ପୋଲିସ ଓ ପ୍ରଶାସନ ଧରି କ୍ୱାରାଣ୍ଟାଇନରେ ରଖୁଛନ୍ତି। ମାତ୍ର ଚମ୍ପୁଆସୀମା ଠାରୁ ଅନତି ଦୂରରେ ରହିଥିବା ଗଳାବାଟ ଦେଇ ଜିଲା ତଥା ରାଜ୍ୟ ବାହାରର ଶ୍ରମିକମାନେ ଅନାୟାଶରେ ଯିବା ଆସିବା କରୁଛନ୍ତି। କରୋନା ପାଇଁ ଆନ୍ତଃ ଜିଲା ଓ ରାଜ୍ୟରେ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଶ୍ରମିକମାନେ ବୈତରଣୀ ନଦୀ ପାର୍‌ ହୋଇ ଝାଡଖଣ୍ଡ ରାଜ୍ୟକୁ ପଳାଉଛନ୍ତି। ଗୁରୁବାର କେତେକ ଶ୍ରମିକ ସାଇକେଲ ଯୋଗେ ଆସି ଚମ୍ପୁଆ ବଜାର ପାର୍‌ ହୋଇ ଏହି ଗଳାବାଟ ଦେଇ ବୈତରଣୀ ନଦୀ ପାର୍‌ ହେଉଥିବା ଦେଖିବାକୁ ମିଳିଥିଲା। ଏମାନେ ସୁକିନ୍ଦା ଅଞ୍ଚଳରୁ ଆସିି ଟାଟା ଯାଉଥିବା ଜଣାପଡ଼ିଛି। ପୋଲିସ ଓ ପ୍ରଶାସନକୁ ଚକମା ଦେଖାଇ ଏହି ଗଳାବାଟ ଦେଇ ଶ୍ରମିକମାନଙ୍କ ଯିବା ଆସିବା ଲାଗି ରହିଥିବା ବେଳେ ଚମ୍ପୁଆ ପ୍ରଶାସନ ପାଖରେ ଏ ସମ୍ପର୍କରେ କିଛି ଖବର ନ ଥିବା ଜଣା ପଡ଼ିଛି।