ଗଳାକାଟି ବୃଦ୍ଧଙ୍କୁ ହତ୍ୟା

ଦଶପଲ୍ଲା,୨୧।୧୧(ଡି.ଏନ.ଏ.): ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଗଳାକାଟି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ହତ୍ୟା କରିବା ପରେ ଘରର କବାଟ ଦେଇ ଫେରାର ହୋଇଯାଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାୟାଧର ପୃଷ୍ଟି (୬୮)। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ପାଟଣା ଗ୍ରାମମୁଣ୍ଡରେ ରୁହନ୍ତି ମାୟାଧର ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ସ୍ତ୍ରୀ ବୁଧବାର ସକାଳେ ଏକ ଶିକ୍ଷାନୁଷ୍ଠାନକୁ ରୋଷେଇ କରିବାକୁ ଯାଇଥିଲେ। ଘରେ କେବଳ ମାୟାଧର ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କ ସ୍ତ୍ରୀ ସ୍କୁଲରୁ ଘରକୁ ଫେରିଥିଲେ। ଘର କବାଟ ଶିକୁଳି ବାହାରପଟୁ ଦିଆଯାଇଥିଲା। ମାୟାଧର କବାଟ ଦେଇ ନିକଟରେ କେଉଁଠି ଯାଇଥିବେ ବୋଲି ଭାବି ସେ କବାଟ ଖୋଲି ଘର ଭିତରେ ପଶିଥିଲେ। ତେବେ ଘର ଭିତରେ ମାୟାଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ଚାରିଆଡେ ରକ୍ତଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଧାରୁଆଅସ୍ତ୍ରରେ ତାଙ୍କର ଗଳା କଟାଯାଇଥିବା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚତ୍ଥିଲେ ଓ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ତେବେ ହତ୍ୟାକାଣ୍ଡର କୌଣସି କାରଣ ଜଣାପଡ଼ୁନାହିଁ। ସନ୍ଧ୍ୟା ହୋଇଯିବାରୁ ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଏ ନେଇ ପୋଲିସ ନଂ.୧୫୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି।