ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଥିବା ପ୍ରମାଣକୁ ଆଧାରକରି ପୋଲିସ ଅଭିଯୁକ୍ତ ସ୍ବାମୀ ମନୋଜ ଦଳାଇଙ୍କୁ ମାମଲା ନଂ. ୭୯/୧୯ରେ ଶନିବାର ଗିରଫ କରି ଜେରା କରିଥିଲା। ଜେରା ବେଳେ ମନୋଜ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମୁହଁରେ ତକିଆ ପକାଇ ତାଙ୍କ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିବା ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି। ମନୋଜଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କ ଘରୁ ଘଟଣା ବେଳେ ବ୍ୟବହୃତ ହୋଇଥିବା ତକିଆ, ଧସ୍ତାଧସ୍ତି ବେଳେ ମଞ୍ଜୁଲତାଙ୍କ ମୁଣ୍ଡରୁ ଛିଡିଥିବା ଚୁଟି ଓ ଘର ଭିତରେ ପଡିଥିବା ରକ୍ତ ଛିଟା ପ୍ରଭୃତି ପରୀକ୍ଷା ପାଇଁ ପଠାଇଥିବା କହିଛି। ଅନ୍ୟପଟେ ତାଙ୍କ ଏକମାତ୍ର ୫ ବର୍ଷର ଶିଶୁପୁତ୍ର ଆଶିଷ ଦଳାଇଙ୍କୁ ଉତ୍କଳ ବାଳାଶ୍ରମ ପରିସରରେ ଥିବା ସ୍ପେସିଆଲ ଏଡୋପସନ ଏଜେନ୍ସି (ଏସଏଏ)କୁ ଶିଶୁଟିର ଯତ୍ନ ଓ ସୁରକ୍ଷା ପାଇଁ ପଠାଇ ଦିଆଯାଇଥିବା ପୋଲିସ କହିଛି। ମନୋଜଙ୍କୁ ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।