ଗରିବ, ବୁଲା ଗୋରୁଙ୍କୁ ଖାଦ୍ୟ ଯୋଗଉଛନ୍ତି ସ୍ବେଚ୍ଛାସେବୀ

ଖୋର୍ଦ୍ଧା ଅଫିସ,୪ା୪ : ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ ଏବଂ ଗୋରୁଙ୍କ ମୁଖରେ ଦାନା ଲାଗି ଅଣ୍ଟା ଭିଡିଛନ୍ତି ଖୋର୍ଦ୍ଧା ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ। ନିଜସ୍ବ ପ୍ରଚେଷ୍ଟାରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ପ୍ରଦାନ କରୁଛନ୍ତି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଉତ୍କଳ ଦିବସଠାରୁ ରବିବାର ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ବସ୍ତି ଅଞ୍ଚଳରେ ରନ୍ଧାଖାଦ୍ୟ ଓ ସାନିଟାଇଜର, ମାସ୍କ ବଣ୍ଟନ କରିଥିଲେ। ସେହିପରି ଖୋର୍ଦ୍ଧା ବିକାଶ ପରିଷଦ ପକ୍ଷରୁ ସହରରେ ଦୈନିକ ୨ଶହ ଜନସାଧାରଣଙ୍କୁ ରନ୍ଧାଖାଦ୍ୟ ସହ ବୁଲା ଗୋରୁଙ୍କୁ କୁଣ୍ଡା, ଚୋକଡ, ପରିବା ଚୋପା ସଂଗ୍ରହ କରି ଦେଉଛନ୍ତି। ପରିଷଦର ବରିଷ୍ଠ କର୍ମକର୍ତ୍ତା ଶକ୍ତିଶଙ୍କର ମିଶ୍ର, ଦୟାନିଧି ରାଉତରାୟ, ମିହିର ବିଧାର, ନିକୁଞ୍ଜ ପଟ୍ଟନାୟକ, ଶୋଭନ ଶେଖର ଘୋଷ, ସୁବାସ ଆଚାର୍ଯ୍ୟ, ମନ୍ମୟ ମିଶ୍ର, ସୁଭାଂଶୁ ଶେଖର ସାମନ୍ତରାୟ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ସେହପରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଖୋର୍ଦ୍ଧା ନଗର ସେବା ବିଭାଗ ପକ୍ଷରୁ ନିରାଶ୍ରୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରୁଛନ୍ତି। ସେହିଭଳି ଅନ୍ୟ କେତେଜଣ ସ୍ବେଚ୍ଛାସେବୀ ନିଜସ୍ବ ପ୍ରଚେଷ୍ଟାରେ ସେବା କରୁଥିବା ନଜରକୁ ଆସିଛି। ପୌର ପରିଷଦ ପକ୍ଷରୁ ଦୈନିକ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ବୋଲି କାଯର୍‌ୟନିର୍ବାହୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି।