ଗରାଖ ନାହାନ୍ତି, ଶଢୁଛି କଖାରୁ

ଢେଙ୍କାନାଳ ଅଫିସ, ୨୪।୪ – କୁଢ଼ା ହୋଇଛି ପାଚିଲା କଖାରୁ। ଦେଖିଲେ ଆଖି ଲାଖିଯିବ। ହେଲେ ଏପରି ସ୍ବାଦିଷ୍ଟ, ପୁଷ୍ଟିକର ପରିବା ନେବାକୁ କେହିନାହାନ୍ତି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଲକ୍‌ଡାଉନ୍‌ ପାଚେରି ସାଜିଥିବାବେଳେ ଖରାବର୍ଷାରେ ୫୦ଟନ୍‌ରୁ ଊର୍ଦ୍ଧ୍ୱ କଖାରୁ ପଚିଶଢ଼ି ନଷ୍ଟ ହେବାକୁ ବସିଲାଣି। କରୋନା କଟକଣା ଚାଷୀ, ଶ୍ରମଜୀବୀଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ଏବେ କଖାରୁ ବିକ୍ରି କେମିତି ହେବ ସେହି ଚିନ୍ତାରେ ଅଛନ୍ତି ଢେଙ୍କାନାଳ ସଦର ବ୍ଲକ ବଣସିଂହ ପଞ୍ଚାୟତ ଶଙ୍କରପୁର ମୌଜାର ୨୦ରୁ ଊର୍ଦ୍ଧ୍ୱ ଚାଷୀ ପରିବାର।
କଖାରୁ ଚାଷ ପାଇଁ ପ୍ରସିଦ୍ଧ ଶଙ୍କରପୁର ମୌଜାର ବ୍ରାହ୍ମଣୀ ନଦୀ ଅବବାହିକା। ନଦୀକୂଳିଆ ୩୩ ଏକର ଜମିରେ ୨୦ ଚାଷୀ ପରିବାର ପ୍ରତିବର୍ଷ କଖାରୁ ଚାଷ କରିଥାନ୍ତି। ଚଳିତ ବର୍ଷ ଅନୁକୂଳ ପାଗ ସାଙ୍ଗକୁ ଭଲ ଫସଲ ହୋଇଥିଲା। ହେଲେ ଉତ୍ପାଦନ ବେଳକୁ ଚଡ଼କ ସାଜିଛି କରୋନା। ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟୀ ଆସୁ ନ ଥିବାରୁ ତୋଳା ହୋଇଥିବା କଖାରୁ ପଡିରହି ନଷ୍ଟ ହେବାକୁ ବସିଲାଣି। ଏ ନେଇ ଚାଷୀମାନେ ଜିଲା ଉଦ୍ୟାନ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ସମସ୍ୟା ସମ୍ପର୍କରେ ବଣସିଂହ ପଞ୍ଚାୟତର ଚାଷୀ ବିଦ୍ୟାଧର ମଲ୍ଲିକ କୁହନ୍ତି, ଲକ୍‌ଡାଉନ୍‌ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି।
ତେଣୁ କଖାରୁ ବଜାରକୁ ପଠାଇବାରେ ସମସ୍ୟା ଉପୁଜିଛି। ଅନ୍ୟପଟେ ତୋଳା ଯାଇଥିବା କଖାରୁ ଜମି ନିକଟରେ ରଖାଯାଇଛି। ହାତୀ ନଷ୍ଟ କରିଦେବା ଭୟରେ ରାତିରେ ଜଗିବାକୁ ପଡୁଛି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ବିପୁଳ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏ ନେଇ ଜିଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଭଗବାନ ଦାସ କୁହନ୍ତି, ଏ ସମ୍ପର୍କରେ ଅବଗତ ଅଛୁ। ତଥ୍ୟ ସଂଗ୍ରହ ପରେ ରାଜ୍ୟ ପାଇଁ ହୋଇଥିବା ପୋର୍ଟାଲରେ ରିପୋର୍ଟ ପ୍ରଦାନ କରାଯାଇଛି ା ବଣସିଂହ ସମେତ ଭୁବନ ବ୍ଲକରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ପୋର୍ଟାଲରେ ଦିଆଯାଇଥିବା ରିପୋର୍ଟ ଫଳପ୍ରଦ ହେବ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।