ଗରଡ଼ିହି ହାଇସ୍କୁଲର ଶିକ୍ଷକଙ୍କ ବଦଳି ପ୍ରତିବାଦ: ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଟାୟାର ଜାଳି ଆନ୍ଦୋଳନ

ସଜନାଗଡ଼,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍କୁଲ ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି।

ଗରଡ଼ିହି ହାଇସ୍କୁଲର ଗଣିତ ଶିକ୍ଷକ ବସନ୍ତ କୁମାର ବିଶ୍ୱାଳଙ୍କୁ କାଂଶ ହାଇସ୍କୁଲକୁ ବଦଳି ହୋଇଛି। ଏହି ବିଦ୍ୟାଳୟକୁ ଉଦଳାରୁ ଜଣେ ଗଣିତ ଶିକ୍ଷକ ସପ୍ତାହକୁ ୩ଦିନ କ୍ଲାସ କରିବାକୁ ଆସୁଥିଲେ। ଫଳରେ ପିଲାମାନଙ୍କ ପାଠପଢ଼ାରେ ଅସୁବିଧା ଉପୁଜିଥିଲା। ପୂର୍ବତନ ଗଣିତ ଶିକ୍ଷକ ବସନ୍ତ କୁମାର ବିଶ୍ୱାଳଙ୍କୁ ଫେରାଇ ଆଣିବା ଦାବିରେ ମଙ୍ଗଳବାର ଛାତ୍ରୀଛାତ୍ରମାନେ ସ୍କୁଲରେ ତାଲା ପକାଇବା ସହ ରାସ୍ତାରେ ଟାୟାର ଜାଳି ବସିଥିଲେ। ନୀଳଗିରି ବିଇଓ ଭାଗୀରଥି ଗିରି ପହଞ୍ଚତ୍ ଛାତ୍ରୀଛାତ୍ରମାନଙ୍କ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ଜଣେ ଗଣିତ ଶିକ୍ଷକଙ୍କୁ ଡେପୁଟେଶନରେ ଅଣାଯିବାର ପ୍ରତିଶ୍ରୁତି ଦେଲା ପରେ ବିଦ୍ୟାଳୟ ସ୍ବାଭାବିକ ଚାଲିଥିଲା।