ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଣୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଗଣ୍ଡାବାଜା କଳାକାର ମଧ୍ୟ ଦୁର୍ଦିନରେ ଦିନ କାଟୁଛନ୍ତି । ଜଲପାଙ୍କେଲ ଗ୍ରାମର ହେର୍ଣ୍ଣା ସୁନା, ବିନୋଦ ସୁନା, ହରି ସୁନା, ଡମନା ସୁନା, ମକାରୁ ବିଭାର, ମିନକେତନ ସୁନା ଆଦି ପ୍ରକାଶ କରିଛନ୍ତି ଯେ, ସେମାନେ ପୂଜାପାର୍ବଣ, ବିବାହ ବ୍ରତ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବାଜା ବଜାଇ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ ସେମାନଙ୍କ ପରିବାର ଚଳୁଥିଲା। ହେଲେ ଲକଡାଉନ ଯୋଗୁଁ ସବୁ ବନ୍ଦ ହୋଇଥିବାରୁ ଏହି ସବୁ କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ବଜନିଆ ପରିବାରର ବୃତ୍ତି ଠପ୍‌ ହୋଇ ପଡିଛି। କାର୍ଯ୍ୟକ୍ରମ ପାଇ ନ ପାରି ଏମାନେ ଘରେ ହାତବାନ୍ଧି ବସି ରହିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଯୋଜନା ଆଣଛନ୍ତି। ହେଲେ ବଜନିଆ କଳାକାରଙ୍କ ପାଇଁ କୌଣସି ଯୋଜନା ହାତକୁ ନିଆ ଯାଇନାହିଁ। ଅନ୍ୟପକ୍ଷେ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ରହିଥିବା ବଜନିଆ କଳାକାରଙ୍କ ମଧ୍ୟରୁ ଅନେକ କଳାକାର ଆଜି ଯାଏ ଭତ୍ତା ମଧ୍ୟ ପାଉ ନ ଥିବା ପ୍ରକାଶ କରିଛନ୍ତି। ଏହି ପରିବାର ପଞ୍ଚାୟତରୁ ପାଉଥିବା ଚାଉଳ ଏକମାତ୍ର ଭରସା। ଚାଉଳ ଗଣ୍ଡେ ପାଇଲେ କ’ଣ ହେବ। ଆର୍ଥତ୍କ ଅନାଟନରେ ରହିଥିବା ପାରିବାର ଏଥିରେ ଚଳିବା ସମ୍ଭବ ହେଉନି।