ଗଣିଆ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତାକାମ: ୧୦ବର୍ଷ ଧରି ତାଳିପକାରେ ଚାଲିଛି

ଗଣିଆ,୧୪ା୧(ଡି.ଏନ୍‌.ଏ.): ବିକାଶର କଥା ଭାବିଲେ ମନକୁ ଆସେ ଗମନାଗମନ ସୁବିଧା। ଏହା ହେଲେ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଛି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବିଜୁ ସଡ଼କ ଯୋଜନା ପରି ବହୁ ଯୋଜନା କରାଯାଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଅନେକ ମୁଖ୍ୟ ରାସ୍ତା ନବୀକରଣ ଓ ମରାମତି ଅଭାବରୁ ଶୋଚନୀୟ ଅବସ୍ଥାରେ ପଡିଥିବାରୁ ଏହିସବୁ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ ମୁଖ୍ୟ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ୩୪ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ଦୀର୍ଘ ୧୦ବର୍ଷ ଧରି ନବୀକରଣ ନ ହୋଇ ପଡିରହିଛି। ପ୍ରତିବର୍ଷ ବିଭାଗ ତରଫରୁ ତାଳିପକାରେ ମରାମତି କରାଯାଇ କାମ ଚଳାଯାଉଛି।
ଚଳିତବର୍ଷ ଏହି ରାସ୍ତାର ଗଣିଆ ମୁଖ୍ୟ ବଜାରଠାରୁ ମଣିଭଦ୍ରା ପର୍ଯ୍ୟନ୍ତ ୧୦କିଲୋମିଟର ରାସ୍ତା ନବୀକରଣ ସହ ୫ବର୍ଷ ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି)କୁ ହସ୍ତାନ୍ତର କରିଛି। ଅବଶିଷ୍ଟ ରାସ୍ତାର ୫୩୦ବର୍ଗ ମିଟରକୁ ୨ଦିନ ଧରି ତାଳିପକା ଭାବେ ପିଚୁ ପକାଇ ମରାମତି କାମ ଚାଲୁରହିଛି। ବୃତ୍ତଙ୍ଗଠାରୁ କୁତୁରୀ ପର୍ଯ୍ୟନ୍ତ ୧୯ କିଲୋମିଟର ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି। ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଓ ମେଟାଲ ଉଠି ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ଏହି ରାସ୍ତା ଉପରେ ବଡଶିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ସେହିପରି ବଡମୂଳଠାରେ ଥିବା ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ରକୁ ଦୈନିକ ଶହ ଶହ ସଂଖ୍ୟାରେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ରାସ୍ତାର ଏପରି ଦୁରବସ୍ଥା ସହ ରାସ୍ତା ଉପରକୁ ଲମ୍ବିରହିଥିବା ବଡ ବଡ ଗଛ ଡାଳ ଓ ବାଉଁଶବୁଦା ଯୋଗୁ ବସ୍‌ ଓ ଅନ୍ୟ ଯାନରେ ଆସୁଥିବା ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ରାସ୍ତାର ବିଭିନ୍ନ ସ୍ଥାନରେ ଥିବା ଛୋଟ ଛୋଟ ନାଳ ଉପରେ ନିର୍ମିତ ପୁରୁଣା ପୋଲଗୁଡିକ ଅଣଓସାର ସାଙ୍ଗକୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଯୋଗୁ ବହୁ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରାଜ୍ୟରେ ବିକାଶର ଧାରା ଆଗେଇ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଏହି ରାସ୍ତା ନବୀକରଣ ହୋଇପାରୁନାହିଁ ବୋଲି ଖୋଦ ପୂର୍ତ୍ତ ବିଭାଗୀୟ ଅଧିକାରୀ ପ୍ରକାଶ କରୁଥିବାରୁ ସରକାରଙ୍କ ଘୋଷଣା ପ୍ରହସନ ବୋଲି ଏଠାରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ରାସ୍ତା ଦେଇ ପ୍ରତିମାସରେ ରାଜ୍ୟର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ, ନେତା ଓ ମନ୍ତ୍ରୀମାନେ ବଡମୂଳସ୍ଥିତ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଥିବା ବେଳେ ରାସ୍ତାର ଶୋଚନୀୟ ଅବସ୍ଥା ଦେଖି ନ ଦେଖିଲା ପରି ଚାଲିଯାଉଛନ୍ତି। ଏପରି କି ଜିଲା ପ୍ରଶାସନିକ ଅଧିକାରୀ ବିଭିନ୍ନ ସମୟରେ ଗସ୍ତରେ ଆସି ରାସ୍ତାର ଦୁରବସ୍ଥା ଦେଖି ଯାଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଉଛି। ଏ ସମ୍ପର୍କରେ ଗଣିଆ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ସଞ୍ଜୟକେତନ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ତ୍ତ ବିଭାଗ ପାଖରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଚଳିତବର୍ଷ ଏହି ରାସ୍ତାର ଗଣିଆ ବଜାରଠାରୁ ୧୦କିଲୋମିଟର ରାସ୍ତା ଆର୍‌ଡି ବିଭାଗକୁ ନବୀକରଣ ପାଇଁ ହସ୍ତାନ୍ତର କରାଯାଇଛି। ମଣିଭଦ୍ରାଠାରୁ କିଛି ବାଟ ମରାମତି କାର୍ଯ୍ୟ କରାଯାଉଛି। ଅବଶିଷ୍ଟ ରାସ୍ତା ନବୀକରଣ ପାଇଁ ଆମ ପାଖରେ ଅର୍ଥ ନ ଥିବାରୁ ନିରୂପାୟ ହୋଇ ବସିଛୁ ବୋଲି ସେ କହିଥିଲେ।