ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼, କ୍ୟାମେରା ଭାଙ୍ଗିଲେ

ପୁରୀ ଅଫିସ,୪ା୫: ପ୍ରେସ୍‌ ସ୍ବାଧୀନତା ଦିବସରେ ରବିବାର ପୁରୀରେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଛି। ବାଲୁଖଣ୍ଡ ଅଭୟାରଣ୍ୟର ପ୍ରକୃତି ନିବାସରେ ଶୁଟିଂ ବେଳେ ବନ କର୍ମଚାରୀ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦେଇଛନ୍ତି। କ୍ୟାମେରାମ୍ୟାନ୍‌ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ଅଭିଯୋଗକ୍ରମେ ପେଣ୍ଠକଟା ମେରାଇନ ଥାନାରେ ଦୁଇ ବନ କର୍ମଚାରୀଙ୍କ ବିରୋଧରେ ପୋଲିସ ଏକ ମାମଲା (ନଂ. ୨୫/୨୦) ରୁଜୁ କରିଛି।
ବାତ୍ୟା ଫନୀକୁ ରବିବାର ବର୍ଷେ ପୂରିଛି। ବାତ୍ୟାରେ ଛାରଖାର ହୋଇଯାଇଥିବା ବାଲୁଖଣ୍ଡ ଅଭୟାରଣ୍ୟର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତାହାର ଶୁଟିଂ ପାଇଁ କେତେଜଣ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ଥିଲେ। ଅନୁମତି ନେଇ ପ୍ରକୃତି ନିବାସରେ କ୍ୟାମେରାମ୍ୟାନ ଚିତ୍ତରଞ୍ଜନ ଶୁଟିଂ କରୁଥିଲେ। ପ୍ରକୃତି ନିବାସ କଟେଜ ମଧ୍ୟରେ କେତେଗୁଡ଼ିଏ ମଦବୋତଲ ପଡ଼ିଥିଲା। ଏହି ସମୟରେ ସେଠାରେ ଥିବା କେତେଜଣ ବନ କର୍ମଚାରୀ ପହଞ୍ଚତ୍ ଚିତ୍ତରଞ୍ଜନଙ୍କୁ ବାରଣ କରିଥିଲେ। ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର ଶୁଟିଂକୁ ବିରୋଧ କରିବା ସହ ଉତ୍‌କ୍ଷିପ୍ତ ହୋଇପଡ଼ିିଥିଲେ। ଭିଡିଓ ଉତ୍ତୋଳନ କରୁଥିବା ଚିତ୍ତରଞ୍ଜନଙ୍କୁ ବନ କର୍ମଚାରୀ ମାଡ଼ ମାରିବା ସହ ତାଙ୍କ କ୍ୟାମେରା ଭାଙ୍ଗି ଦେଇଥିଲେ। ଅନ୍ୟ ଖବରଦାତା ଅଟକାଇବାରୁ ସେମାନେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଘଟଣାକୁ ପୁରୀ ଜିଲା କଂଗ୍ରେସ ତୀବ୍ର ନିନ୍ଦା କରିଛି। ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଦର୍ଶାଯାଇଛି। ଏ ନେଇ ଏସ୍‌ପି ଉମାଶଙ୍କର ଦାଶଙ୍କୁ ପଚାରିବାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।